ବିଜେଡିରୁ ବୈଜୟନ୍ତଙ୍କ ଇସ୍ତଫା, ବିଜେପିରେ ମିଶିବା ନେଇ ଚର୍ଚ୍ଚା

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା, ଶେଷରେ ସେୟା ହେଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ଶାସକ ବିଜେଡିରୁ ନିଲମ୍ବିତ ହୋଇଥିବା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ସମ୍ପର୍କିତ ୩ ପୃଷ୍ଟାର ଏକ ଚିଠି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଏହି ଚିଠିରେ ସେ ନିଜର କ୍ଷୋଭ ପ୍ରକାଶ କରିବା ସହ ଦଳର କିଛି ନେତା ତାଙ୍କ ବିରୋଧରେ କି ଭଳି ଚକ୍ରାନ୍ତ କରୁଛନ୍ତି, ସେକଥା ମଧ୍ୟ ଉଲ୍ଲେଖ କରିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବୈଜୟନ୍ତ ଆସନ୍ତା ୩ ଦିନ ମଧ୍ୟରେ ନିଜ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି । ସେ ତାଙ୍କ ବାପା ତଥା ଦିଂଗତ ଶିଳ୍ପପତୀ ବଂଶୀଧର ପଣ୍ଡାଙ୍କ ଏକାଦଶ କାର୍ଯ୍ୟକ୍ରମ ପରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ନିଜର ଇସ୍ତଫା ସମ୍ପର୍କରେ ଜଣାଇବେ ବୋଲି ଜଣାପଡ଼ିଛି । ବଂଶୀଧର ପଣ୍ଡାଙ୍କ ଦେହାନ୍ତ ପରେ କୌଣସି ବିଜେଡି ନେତା କିମ୍ବା ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ନ ଯିବାରୁ ଏଥିରେ ବୈଜୟନ୍ତ ମର୍ମାହତ ହୋଇଛନ୍ତି ବୋଲି ସେ ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିରେ ବୈଜୟନ୍ତ ବିଜେଡି ଏବେ ଯେଉଁ ସ୍ତରକୁ ଯାଇ ରାଜନୀତି କରୁଛି, ସେକଥା ମଧ୍ୟ ନାପସନ୍ଦ କରିଛନ୍ତି ।

ବିଜୁ ଅଙ୍କଲ ଓ ମୋ ବାପା ଅତରଙ୍ଗ ବନ୍ଧୁ ଥିଲେ ବୋଲି ସମସ୍ତେ ଜାଣନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ଅନ୍ୟ ଦଳର ଲୋକମାନେ ଘରକୁ ଆସି ଶ୍ରଦ୍ଧାଞ୍ଜଳି ଜଣାଇଲେ, ହେଲେ ମୋ ଦଳର ଲୋକମାନେ ଆସିଲେ ନାହିଁ । ଏହା ସବୁଠାରୁ ଦୁଃଖର ବିଷୟ ବୋଲି ବୈଜୟନ୍ତ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ଏବେ ବୈଜୟନ୍ତ ବିଜେଡିରୁ ଇସ୍ତଫା ଦେଇଥିବାରୁ ଖୁବ୍ଶୀଘ୍ର ସେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ ପୂର୍ବରୁ ବୈଜୟନ୍ତ ଅନେକ ସମୟରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିବା ଭଳି ମନ୍ତବ୍ୟ ଦେଇଛନ୍ତି ।

ଅନ୍ୟ ଏକ ଖବର ଅନୁଯାୟୀ ବୈଜୟନ୍ତ ସ୍ୱାଧୀନ ପ୍ରାର୍ଥୀ ଭାବେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ମଧ୍ୟ କୁହାଯାଉଛି । କିନ୍ତୁ ଏନେଇ ବୈଜୟନ୍ତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପୁନଶ୍ଚ ସାଧାରଣ ନିର୍ବାଚନ ସହ କେନ୍ଦ୍ରପଡ଼ା ଆସନ ପାଇଁ ଭୋଟ୍ ହେବ ନା ତା’ ପୂର୍ବରୁ ଉପନିର୍ବାଚନ ହେବ, ତାକୁ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ବିଜେଡିକୁ ବୈଜୟନ୍ତଙ୍କ ଅଲବିଦା ନିଶ୍ଚିତ ଭାବେ ଏକ ନୂଆ ରାଜନୀତିକ ସମୀକରଣ ଆଭାସ ଦେଇଛି ।

ଉଲ୍ଲେଖଯୋଗ୍ୟ ଜାନୁଆରୀ ୨୪ ତାରିଖରେ ବୈଜୟନ୍ତଙ୍କୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଥିଲା । ସେ ଦଳ ବିରୋଧରେ ଖୋଲା ଖୋଲି ମନ୍ତବ୍ୟ ଦେଉଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିଲା ବୋଲି ସେତେବେଳେ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଥିଲା ।


ସେୟାର କରନ୍ତୁ