କଂଗ୍ରେସ ସଂଯୋଜକଙ୍କ ପ୍ରଶିକ୍ଷଣ ଶିବିର

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତ ଦଳମାନଙ୍କ ମଧ୍ୟରେ ତତ୍ପରତା ସେତିକି ଦେଖିବାକୁ ମିଳୁଅଛି । ଆସନ୍ତା ସାଧାରଣ ଓ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ପ୍ରଦେଶ କଂଗ୍ରେସ ପକ୍ଷରୁ 147 ବିଧାନସଭା କ୍ଷେତ୍ର ପାଇଁ 147 ସଂ‌ଯୋଜକଙ୍କୁ ନିଯୁକ୍ତି ଦିଆଯାଇଛି । ଯାହା ଫଳରେ ନିଯୁକ୍ତି ପାଇଥିବା ସଂଯୋଜକମାନେ କିଭଳି ନିଜ ନିଜର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନା କରିବେ, ସେଥିପାଇଁ ଆସନ୍ତା 23 ଓ 25ରେ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହେବାକୁ ଯାଉଛି ।

ଅଖିଳ ଭାରତ କଂଗ୍ରେସ କମିଟିର ସ୍ୱତନ୍ତ୍ର ନିର୍ବାଚନ ପ୍ରଶିକ୍ଷଣ ଅଧିକାରୀମାନେ ଭୁବନେଶ୍ୱରରେ ଏହି ପ୍ରଶିକ୍ଷଣ ପ୍ରଦାନ କରିବେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁୟାରି 23 ତାରିଖରେ 10ଟି ଲୋକସଭା ନିର୍ବାଚନ ମଣ୍ଡଳୀ ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ମୟୁରଭଞ୍ଜ ଓ କେନ୍ଦୁଝର ଅଧୀନରେ ଥିବା 70ଟି ନିର୍ବାଚନ ମଣ୍ଡଳୀର ବିଧାନସଭା କ୍ଷେତ୍ରର ସଂଯୋଜକମାନେ ସାମିଲ ହେବେ।

ସେହିପରି 25 ତାରିଖରେ 11 ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ, କଟକ, ଭୁବନେଶ୍ୱର, ପୁରୀ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଆସ୍କା ଓ ବ୍ରହ୍ମପୁର ଅଧୀନରେ ଥିବା 77ଟି ବିଧାନସଭା କ୍ଷେତ୍ରର ସଂଯୋଜକମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ସେହିପରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସକ୍ରମେ 2024 ସାଧାରଣ ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ ୱାର ରୁମ୍ କମିଟିର ଗଠନ କରାଯାଇଛି । ୱାର ରୁମ୍‌ର ଅଧ୍ୟକ୍ଷ ଭାବେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋଙ୍କୁ ନିଯୁକ୍ତି ଦିଆଯାଇଛି । ଏହି କମିଟିରେ ବିସ୍ମୟ ମହାପାତ୍ର, ଜିନେଶ ଦାଶ, ପ୍ରକାଶ ମିଶ୍ର, ସଞ୍ଜୟ ତ୍ରିପାଠୀ ଓ ତରୁଣକାନ୍ତ ମିଶ୍ର ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି ।


ସେୟାର କରନ୍ତୁ