ମହାନଦୀ ପ୍ରସଙ୍ଗକୁ ନେଇ ଓଡ଼ିଶା ସରକାର ରାଜନୀତି କରୁଛନ୍ତି: ମୋଦି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଓଡ଼ିଶାର ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟସରକାର ଏହାର ଉପଯୋଗ ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ବରଂ ତୁଛା ରାଜନୀତିରେ ମାତିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖାଲି ଏହିକି ନୁହେଁ ମହାନଦୀକୁ ଛାଡିଲେ ରାଜ୍ୟସରକାରଙ୍କ ଅପାରଗତା ଯୋଗୁଁ ମୋଟ ୫ଟି ନଦୀର ଅର୍ଦ୍ଧାଧିକ ଜଳ ବଙ୍ଗୋପସାଗରକୁ ବୋହି ଯାଉଛି । ଏହି ପ୍ରସଙ୍ଗକୁ ନେଇ ସେ ରାଜ୍ୟସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ।

କଟକ ବାଲିଯାତ୍ରା କିଲ୍ଲା ପଡ଼ିଆ ଠାରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ଜନକଲ୍ୟାଣ ସମାବେଶରେ ଉଦବୋଧନ ଦେଇ ଶ୍ରୀ ମୋଦି କହିଥିଲେ, ଖୋଦ ରାଜ୍ୟସରକାର ବିଧାନସଭାରେ ସ୍ୱିକାର କରିଥିଲେ ଯେ, ମହାନଦୀର ୫୦ ପ୍ରତିଶତ ଜଳ ସମୁଦ୍ରକୁ ବୋହି ଯାଉଛି । ରାଜ୍ୟସରକାର ଇନ୍ଦ୍ରାବତୀ ଯୋଜନା ଭଳି ବହୁ ଜଳସେଚନ ଯୋଜନା ଦୀର୍ଘ ୨୦ ବର୍ଷ ଧରି ଝୁଲାଇ ରଖିଛନ୍ତି । ଏବଂ ରାଜ୍ୟସରକାର ବିକାଶ ବା କୃଷକର ଉନ୍ନତି ପାଇଁ ଆଦୌ ଧ୍ୟାନ ଦେଉନାହାନ୍ତି ବୋଲି ସେ ମତ ରଖିଛନ୍ତି ।

ମହାନଦୀ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ରାଜ୍ୟସରକାର ଗ୍ରହଣ କଲେ ନାହିଁ । ଏଥିପାଇଁ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବ ରାଜ୍ୟସରକାରଙ୍କୁ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କଲେ ନାହିଁ । ତେଣୁ ଏହି ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ଏହାକୁ ନେଇ ରାଜ୍ୟସରକାର ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଓଡ଼ିଶାର ଉନ୍ନତି ପାଇଁ କେନ୍ଦ୍ର ସରକାର ଭୁବନେଶ୍ୱରରେ ଏମ୍ସ, ବ୍ରହ୍ମପୁରରେ ଆଇଜର ଓ ସମ୍ବଲପୁରରେ ଆଇଆଇଏମ ଭଳି ଜାତୀୟସ୍ତରର ପ୍ରତିଷ୍ଠାନ ସ୍ଥାପନ କରିଛନ୍ତି । ଖାଲି ଏତିକି ନୁହେଁ ପାରାଦ୍ୱୀପର ଆଇଓସିଏଲ ପ୍ରତିଷ୍ଠା ପାଇଁ ପୂର୍ବର କେନ୍ଦ୍ର ସରକାର କାଳକ୍ଷେପଣ ନୀତି ଗ୍ରହଣ କରିଥିବା ତାଙ୍କ ସରକାର ଏହାର ସଫଳ ରୂପାୟନ କରିଛନ୍ତି ।


ସେୟାର କରନ୍ତୁ