ସାଂସ୍କୃତିକ ପୁନଃଜାଗରଣର ନୂଆ ଯୁଗ ଆରମ୍ଭ – ଧର୍ମେନ୍ଦ୍ର ପ୍ରଧାନ

ଦେଶବିଦେଶ ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାମନଗରୀ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଜି ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ଦର୍ଶନ କରିବା ସହ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟରେ ସାମିଲ ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ କରିଥିଲେ । ପରେ କଟକ ଶିଖରପୁର କାଳିଆବୋଦା ସ୍ଥିତ ଶ୍ୟାମାକାଳୀ ମନ୍ଦିରରେ ମା’ଙ୍କ ଆଶୀର୍ବାଦ ନେଇଥିଲେ । ଗୋପୀନାଥପୁର ବାବା ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ଭକ୍ତମାନଙ୍କ ଗହଣରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଦେଖିଥିଲେ । ଏହା ପରେ ସାଲେପୁର ମାଳିହତା ଗାଁରେ ଶ୍ରୀ ବଦ୍ରିନାରାୟଣ ଦେବ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ସମଗ୍ର ଭାରତବର୍ଷ ଶତାବ୍ଦୀ ଶତାବ୍ଦୀ ଧରି ଉତ୍ସାହର ସହ ଅପେକ୍ଷା କରିଥିବା ଦିନଟି ଉପନୀତ ହୋଇଛି । ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଅଲୌକିକ ମୁହୂର୍ତ୍ତ ଦେଶବାସୀଙ୍କୁ ଭାବପ୍ରବଣ କରିଛି । ସାଂସ୍କୃତିକ ପୁନଃଜାଗରଣର ନୂଆ ଯୁଗର ଶୁଭାରମ୍ଭ ହୋଇଛି । ଆଜିର ଦିନ ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

ପ୍ରଭୁ ଶ୍ରୀରାମ ଭାରତ, ଭାରତୀୟ ଏବଂ ବିଶ୍ୱର ରାମ ଭକ୍ତମାନଙ୍କ ହୃଦୟରେ ବାସ କରନ୍ତି । ସାରା ଦେଶ ରାମମୟ ହୋଇଛି । ଆଜି ଗାଁରୁ ଅଯୋଧ୍ୟା ପର୍ଯ୍ୟନ୍ତ ରାମଧ୍ୱନୀ ସମାଜରେ ଦିବ୍ୟ ଚେତନା ଜାଗ୍ରତ କରିଛି । ପୂଜ୍ୟ ସାଧୁ ସନ୍ଥ ମାନଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକମାନେ ନିଜକୁ ଏହି ଭବ୍ୟ ସମାବେଶରେ ସାମିଲ କରିଛନ୍ତି । ଆଜି ଏକ ମହାନ ଓ ସ୍ମରଣୀୟ ଅବସର ।

ରାମ ମନ୍ଦିର ନିର୍ମାଣ ପାଇଁ ନିଜର ସବୁକିଛି ଉତ୍ସର୍ଗ କରିଥିବା ସମସ୍ତ ରାମ ଭକ୍ତ ଓ ସନ୍ଥମାନଙ୍କୁ ପ୍ରଣାମ । ସେମାନଙ୍କ ତପସ୍ୟା, ଧୈର୍ଯ୍ୟ ଓ କଠିନ ପରିଶ୍ରମ ଯୋଗୁଁ ଶ୍ରୀରାମ ଜନ୍ମଭୂମିରେ ଭଗବାନ ଶ୍ରୀରାମଙ୍କ ଏକ ଭବ୍ୟ ମନ୍ଦିର ହୋଇପାରିଛି । ପ୍ରଭୁ ଶ୍ରୀ ରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ଆଶୀର୍ବାଦରୁ ଆମ ସମାଜ ଆହୁରି ସମୃଦ୍ଧ ଏବଂ ମଙ୍ଗଳମୟ ହେଉ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।


ସେୟାର କରନ୍ତୁ