ଅଜଣା ଦୁର୍ବୃତ୍ତମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଟଙ୍କା ଧରି ଚମ୍ପଟ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ତଥା କାମାକ୍ଷାନଗର ଥାନା ଅନ୍ତର୍ଗତ ଜୟପୁରାକାଟେଣି ପଞ୍ଚାୟତ ଅଧିନସ୍ଥ 53 ନମ୍ବର ଜାତୀୟ ରାଜପଥକୁ ଲାଗି ସିଆରିମାଳିଆ ଛକ ନିକଟରୁ ସନ୍ଧ୍ୟା ସମୟରେ ମହିଳା ଗ୍ରୁପଙ୍କ ଠାରୁ ଅଜଣା ଦୁର୍ବୃତ୍ତମାନେ ଋଣ ଟଙ୍କା ଧରି ଚମ୍ପଟ ମାରିଥିବା ଜଣାପଡିଛି ।

ସୂଚନା ମୁତାବକ, ସିଆରିମାଳିଆର ଶକ୍ତି ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମୁକ୍ତାପଶି ଛକ ନିକଟରେ ରହିଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ 4 ଲକ୍ଷ 97 ହଜାର ଟଙ୍କାର ଋଣ ମଞ୍ଜୁର ହେଇଥିଲା । ଉକ୍ତ ଋଣ ଟଙ୍କା ଗ୍ରୁପଙ୍କର ସଭାପତି, ସମ୍ପାଦକ ଓ ସହଯୋଗି ବାଇକ୍ ଚାଳକଙ୍କ ଡ଼ିକିରେ ରଖି ବାଇକରେ ବସି ସିଆରିମାଳିଆ ଗ୍ରାମକୁ ଯାଇଥିଲେ । ଦୁର୍ଭାଗ୍ୟ ବଶତଃ ବାଇକରୁ ତେଲ ସରିଯିବାରୁ ଉକ୍ତ ଛକରେ ତେଲ ପକାଇବା ପାଇଁ ଗାଡ଼ି ରଖିଥିଲେ ।

ଠିକ୍ ଏହି ସମୟରେ 2ଜଣ ଅଜଣା ଦୁର୍ବୃତ୍ତମାନେ ବାଇକରେ ଆସି ତାଙ୍କ ଗାଡ଼ି ଡିକିରୁ ତରବରିଆ ଭାବେ ଟଙ୍କା ନେଇ ଚମ୍ପଟ ମାରିଥିଲେ, ଦୈବାତ ବଶତଃ ଏହି ଟଙ୍କାରୁ 2 ବଣ୍ଡଲ 5ଶହ ଟଙ୍କିଆ ରହିଯାଇଥିଲା । ଆନୁମାନିକ ପ୍ରାୟ 1 ଲକ୍ଷ ଟଙ୍କା ରହିଯାଇଥିବା ଜଣାପଡିଥିଲାବେଳେ ଅବଶିଷ୍ଟ 3 ଲକ୍ଷ 97 ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏନେଇ ଖବର ପାଇ କାମାକ୍ଷାନଗର ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ବ୍ୟାଙ୍କ ଶାଖାକୁ ଯିବା ସହିତ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।


ସେୟାର କରନ୍ତୁ