ଓଡ଼ିଶା ଓ ପୂର୍ବ ଭାରତ ‘ବିକଶିତ ଭାରତ’ର ନେତୃତ୍ୱ ନେବା ସହ ଗ୍ଲୋବାଲ୍ ବେଞ୍ଚମାର୍କ ତିଆରି କରିବ- ଧର୍ମେନ୍ଦ୍ର ପ୍ରଧାନ

ଦେଶବିଦେଶ ରାଜ୍ୟ
ସେୟାର କରନ୍ତୁ

ଯୋଗାଯୋଗ, ସାମୁଦ୍ରିକ ବାଣିଜ୍ୟ ଓ ଅର୍ଥନୀତି କ୍ଷେତ୍ରରେ ଆଜିର ସମ୍ମିଳନୀ ରୋଡମ୍ୟାପ ପ୍ରସ୍ତୁତ କରିବାରେ ସହାୟକ ହେବ- ଭି ମୂରଲିଧରଣ

ଭୁବନେଶ୍ୱର : ଉପଯୁକ୍ତ ସୁଯୋଗ ମିଳିଲେ ଆଗାମୀ ଦିନରେ ଓଡ଼ିଶା ଓ ପୂର୍ବ ଭାରତ ‘ବିକଶିତ ଭାରତ’ର ନେତୃତ୍ୱ ନେବା ସହ ଗ୍ଲୋବାଲ୍ ବେଞ୍ଚମାର୍କ ତିଆରି କରିବାର ସାମର୍ଥ୍ୟ ରଖିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଦୁଇ ଦିନିଆ ଆନ୍ତର୍ଜାତିକ ଆଲୋଚନା ଚକ୍ରର ଉଦଘାଟନୀ ଅଧିବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ ଏବଂ ଏନର୍ଜି ଫୋରମ ଇଣ୍ଡିଆର ମିଳିତ ଉଦ୍ୟମରେ ଆୟୋଜିତ ଏହି ସେମିନାରର ଶୀର୍ଷକ ରହିଛି “ପୂର୍ବୋଦୟ ସମ୍ଭାବନା : ଆଞ୍ଚଳିକ ଯୋଗାଯୋଗ ସ୍ଥାପନ ଉପରେ ପ୍ରତିଫଳନ” । ଏହା ଉପରେ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତର ସାମଗ୍ରିକ ବିକାଶ ପାଇଁ ପୂର୍ବୋଦୟକୁ ଗୁରୁତ୍ୱ ଦେଉଥିବା ବେଳେ ଏହି ସମ୍ମିଳନୀ ପୂର୍ବ ଭାରତର ସାମଗ୍ରିକ ବିକାଶ ଏବଂ ସମୃଦ୍ଧି ଦିଗରେ ଆମର ସାମୂହିକ ପ୍ରୟାସର ଏକ ଅଂଶବିଶେଷ । ପୂର୍ବୋଦୟ ମିଶନର ସବୁଠାରୁ ବଡ଼ ଲାଭାର୍ଥୀ ଓଡ଼ିଶା ହୋଇଛି । ମିଶନ ପୂର୍ବୋଦୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଦୃଷ୍ଟିକୋଣ ନୂତନ ସୁଯୋଗ ସୃଷ୍ଟି କରୁଛି । ପ୍ରାକୃତିକ ସମ୍ପଦ, ପ୍ରତିଭାସମ୍ପନ୍ନ ମାନବ ପୁଞ୍ଜି ଏବଂ ଭୌଗଳିକ ଅବସ୍ଥିତି ସହ ପୂର୍ବ ଭାରତ ଓ ଓଡ଼ିଶା ଆଗାମୀ ଦିନରେ ବିକଶିତ ଭାରତର ଅଭିବୃଦ୍ଧିର ନେତୃତ୍ୱ ନେବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ୮୦୦ କୋଟି ଜନସଂଖ୍ୟା ମଧ୍ୟରୁ ପାଖାପାଖି ୧୦ କୋଟି ଲୋକ “ପୂର୍ବୋଦୟ” ଅର୍ଥାତ୍ ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବ ରାଜ୍ୟସମୂହରେ ବସବାସ କରନ୍ତି । ଆମର ପଡୋଶୀ ରାଷ୍ଟ୍ର ନେପାଳ, ଭୁଟାନ, ମିଆଁମାର, ବାଂଲାଦେଶର ସଂସ୍କୃତି ପ୍ରାୟ ସବୁ ଏକାପରି । ଏହି ଅଞ୍ଚଳର ସମ୍ଭାବନା ହିମାଳୟ ଠାରୁ ବି ବଡ । ଓଡ଼ିଶା ସମେତ ଏହି ରାଜ୍ୟ ସମୂହରେ ଦକ୍ଷତାର କୌଣସି ଅଭାବ ନାହିଁ । ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ ଏହି ଅଞ୍ଚଳରେ ପରିଶ୍ରମୀ ମାନବ ସମ୍ବଳ ବସବାସ କରନ୍ତି । ଅତୀତରେ ଏଠାରେ ଅନେକ ବଡ ବଡ କୀର୍ତ୍ତିମାନ ସ୍ଥାପନ ହୋଇଛି । ଏହି ସବୁ ଅଞ୍ଚଳର ସାମଗ୍ରିକ ବିକାଶର ରାସ୍ତା ଭାରତ ଦେଇ ହେବ । ନେପାଳ, ଭୁଟାନ, ମିଆଁମାର, ବାଂଲାଦେଶ ଭଳି ଅଞ୍ଚଳରେ ବନ୍ଦର ସଂଯୋଗୀକରଣ, ବୌଦ୍ଧିକ କ୍ଷମତାର ନେଟଓ୍ୱାର୍କିଂ, ସମ୍ବଳ ପରିଚାଳନା ଅଛି ତଥା ବିଶ୍ୱର ଅନ୍ୟ ଅଞ୍ଚଳକୁ ଯୋଡିହେବାର ରାସ୍ତା ଭାରତ ଦେଇ ଅଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ‘ଆକ୍ଟ ଇଷ୍ଟ’ ନୀତିର ଯୁଗ ଆରମ୍ଭ ହୋଇଛି । ଯୋଗାଯୋଗ ମୋଦି ସରକାରଙ୍କ ବୈଦେଶିକ ନୀତିର ଏକ ପ୍ରମୁଖ ସ୍ତମ୍ଭ ହୋଇଛି । ବିକଶିତ ଭାରତ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇସାରିଛି । ଭାରତକୁ ବିକଶିତ କରିବା ପାଇଁ ହେଲେ ପୂର୍ବ ଉତ୍ତର ତଥା ଭାରତର ପୂର୍ବାଞ୍ଚଳରେ ଯୋଗାଯୋଗ ସ୍ଥାପନକୁ ମଜଭୂତ୍ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ମତ ଦେଇଛନ୍ତି । “ପୂର୍ବୋଦୟ” କେବଳ ଭାରତର ପୂର୍ବ ଏବଂ ଉତ୍ତର ପୂର୍ବାଞ୍ଚଳର ଏକତ୍ରୀକରଣ ନୁହେଁ, ବରଂ ନଦୀ ଏବଂ ସମୁଦ୍ରର ନେଟଓ୍ୱାର୍କକୁ ଉପଯୋଗ କରି ଏହି ରାଜ୍ୟଗୁଡ଼ିକୁ ଏସିଆର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବାଞ୍ଚଳ ସହିତ ଅବିଚ୍ଛେଦ୍ୟ ଭାବରେ ଯୋଡାଯିବାର ଲକ୍ଷ୍ୟ ରଖାଯାଇଛି । ଆଜି ପଡୋଶୀ ଦେଶ ଗୁଡିକ ସହ ଯେତେବେଳେ ଭାରତ ସମ୍ପର୍କ ମଜଭୂତ୍ ହେଉଛି ସେହି ସମୟରେ ପୂର୍ବୋଦୟର ସମ୍ଭାବନାକୁ ଉପଯୋଗ କରି ଭାରତକୁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଭାବରେ ପରିଣତ କରିବା ଆମର ଦାୟିତ୍ୱ ।

ଆମର ଗୌରବମୟ ବାଲିଯାତ୍ରା ହେଉଛି ଯୋଗାଯୋଗର ପ୍ରତୀକ ଓ ମିଶନ ପୂର୍ବୋଦୟ ହେଉଛି ପୁନରୁତ୍ଥାନ ଏବଂ ପୁନଃଆବିଷ୍କାରର ପ୍ରତୀକ । ଯୋଗାଯୋଗ ସ୍ଥାପନାକୁ ବିକଶିତ କରିବାର ଅର୍ଥ ଅର୍ଥନୈତିକ ଏବଂ ସାମାଜିକ ବିକାଶ କରିବା । ଆମେ ଯେତେବେଳେ ବାଲିଯାତ୍ରା ପାଳନ କରୁଛେ ଏକବିଂଶ ଶତାବ୍ଦୀରେ ନିଜର ବିଚାର ଆଧାରରେ ପୃଥିବୀର ନେତୃତ୍ୱ ନେବାର କ୍ଷମତା ଆମ ପାଖରେ ଅଛି । ଆଜି ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀତାକୁ ଆଗକୁ ନେବା ପାଇଁ ଏହି ସେମିନାରର ଆୟୋଜନ ହୋଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ ; ଏନର୍ଜି ଫୋରମ ଇଣ୍ଡିଆ ସହିତ ମିଶି “ପୂର୍ବୋଦୟ”ର ଲାଭ ଉଠାଇବା ଏବଂ ଏହାକୁ ବିଶ୍ୱର ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ଏକ କାର୍ଯ୍ୟକାରୀ ଚିନ୍ତାଧାରା ଏବଂ ରଣନୀତି ପ୍ରସ୍ତୁତ କରିଛନ୍ତି । ଆଞ୍ଚଳିକ ସ୍ତରରେ ଯୋଗାଯୋଗ ସ୍ଥାପନ ବିଶ୍ୱ ଅର୍ଥନୀତିରେ ପ୍ରଭାବ ପକାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ବୈଦେଶିକ ବ୍ୟାପାର ଓ ସଂସଦୀୟ ରାଷ୍ଟ୍ର ମନ୍ତ୍ରୀ ଭି ମୂରଲିଧରଣ କହିଛନ୍ତି ଯେ ଏହି ସମ୍ମିଳନୀ ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବ ସମୂହ ଅଞ୍ଚଳର ବିକାଶ କ୍ଷେତ୍ରରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ମାଇଲଷ୍ଟୋନ ହେବ । ଭାରତ ଏବଂ ପୂର୍ବ ଏସିଆର ଦେଶ ମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି କରିବାରେ ସହାୟକ ହେବ । ବିଶେଷତଃ ଯୋଗାଯୋଗ, ସାମୁଦ୍ରିକ ବାଣିଜ୍ୟ ଓ ଅର୍ଥନୀତି ଭଳି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ରୋଡମ୍ୟାପ ପ୍ରସ୍ତୁତ କରିବାରେ ସହାୟକ ହେବ । ପୂର୍ବ ଭାରତ ଏବଂ ଏହାର ପଡୋଶୀ ଦେଶ ଗୁଡ଼ିକ ବିଶ୍ଵ ଦରବାରରେ ବିକଶିତ ହୋଇପାରିବ ବୋଲି ସେ କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଉତ୍ତର ପୂର୍ବ ଓ ପୂର୍ବାଞ୍ଚଳ ରାଜ୍ୟ ସମୂହରେ ନିଯୁକ୍ତି ସୁଯୋଗକୁ ତ୍ୱରାନ୍ୱିତ କରାଇବା ଦିଗରେ ଏନଏସଡିସି ସହ ବ୍ଲିନକିଟ୍, ଅପନା,କ୍ୟୁଇଜ୍ କ୍ରପ୍ ମଧ୍ୟରେ ପୃଥକ ପୃଥକ ତିନୋଟି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଉଲ୍ଲେଖନୀୟ, ଆଜିର ପ୍ରଥମ ଅଧିବେଶନରେ ଆସାମର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋଓ୍ୱାରୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସୌରଭ କୁମାର, ବାଂଲାଦେଶର ହାଇକମିଶନର ମୁସ୍ତାଫିଜୁର ରେହମାନ, ବୈଦେଶିକ ମନ୍ତ୍ରଣାଳୟର ସଚିବ(ଇଷ୍ଟ) ସୌରଭ କୁମାର, ବୈଜ୍ଞାନିକ ପଦ୍ମବିଭୂଷଣ ଡକ୍ଟର ଅନିଲ କାକୋଡକର, ସିଆଇଆଇର ସଭାପତି ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


ସେୟାର କରନ୍ତୁ