ପାନୀୟ ଜଳ ପାଇଁ ଡହଳବିକଳ ଶାନ୍ତିନଗର ଦଳିତ ସାହି , ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ଅଧିନସ୍ଥ ଶାନ୍ତିନଗର ଦଳିତ ସାହିରେ ପାନୀୟ ଜଳ ପାଇଁ ଡହଳବିକଳ ହେଉଥିବା ବେଳେ ବସ୍ତି ବାସିନ୍ଦା ଏହାକୁ ସହ୍ୟ କରି ନପାରି ରାସ୍ତାକୁ ଓହ୍ଲାଇବାକୁ ପଡ଼ିଥିଲା । ଭାଲୁମୁଣ୍ଡା ଛକରୁ ଆଲୁଝରଣ ଅଭିମୁଖେ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର କୁମୁସୀ ଛକ ନିକଟସ୍ଥ ପରଜଙ୍ଗ ଥାନା ଅଧିନସ୍ଥ ସାଆନ୍ଦା ଫାଣ୍ଡି ନିକଟକୁ ଲାଗି ଶାନ୍ତିନଗର ଦଳିତ ସାହି ରହିଛି ।

ରାସ୍ତାର ଉଭୟ ପାର୍ଶ୍ବରେ ପ୍ରାୟ 80ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ଏମାନଙ୍କ ପାଇଁ ଦୁର୍ଦ୍ଦିନ ସମୟରେ ପାନୀୟ ଜଳ ଦାଉ ସାଧୁଛି, ଯାହା ଫଳରେ ଏହାକୁ ନେଇ ବସ୍ତି ବାସିନ୍ଦା ପୂର୍ତ୍ତ ବିଭାଗ ରାସ୍ତାକୁ ପ୍ରାୟ 3 ଘଣ୍ଟା ଧରି ଅବରୋଧ କରିଥିଲେ । ବସ୍ତିରେ କୌଣସି ପାନୀୟ ଜଳର ବନ୍ଦୋବସ୍ତ ନଥିବା ବେଳେ ଏମାନଙ୍କ ପାଇଁ 3 ଟି ନଳକୂପ ଭରସା, ହେଲେ ଏହି 3 ନଳକୂପ ମଧ୍ୟରୁ 2 ଟି ନଳକୂପରେ ଉପଯୁକ୍ତ ପାଣି ଦେଉନଥିବାରୁ ପୂର୍ତ୍ତ ବିଭାଗ ରାସ୍ତାକୁ ଲାଗି ରହିଥିବା ଗୋଟିଏ ନଳକୂପ ବସ୍ତି ବାସିନ୍ଦାଙ୍କ ପାଇଁ ସାହା ଭରଷା, ସାହିରେ ପାନୀୟ ଜଳ ସମସ୍ୟା ସବୁବେଳେ ରହୁଥିବାରୁ ଏ ସମ୍ବନ୍ଧେ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କୌଣସି ପ୍ରତିକାର ନହେବାରୁ ବାଧ୍ୟ ହୋଇ ମହିଳା ଓ ପୁରୁଷ ମିଶି ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରିବାର ବିକଳ୍ପପନ୍ଥା ଅବଲମ୍ବନ କରିଥିଲେ । ଫାଣ୍ଡିର ପୋଲିସ ଓ ବିଭାଗୀୟ ଯନ୍ତ୍ରୀ ,ପଞ୍ଚାୟତ ସରପଞ୍ଚ ପହଞ୍ଚି ଏହାର ସମାଧାନର ବାଟ ବାହାର କରିଥିଲେ ।

ସାହିକୁ ଯେପର୍ଯ୍ୟନ୍ତ ସ୍ଥାୟୀ ପାନୀୟ ଜଳ ବନ୍ଦୋବସ୍ତ କରାନଯାଇଛି ସେ ପର୍ଯ୍ୟନ୍ତ ଟ୍ୟାଙ୍କର ମାଧ୍ୟମରେ ସାହିକୁ ପାନୀୟ ଜଳ ଯୋଗାଇ ଦେବାକୁ ନିଷ୍ପତ୍ତି ହେବା ସହ ଏକ ଲିଖିତ ଅଭିଯୋଗ ବିଭାଗୀୟ ଯନ୍ତ୍ରୀଙ୍କୁ ହସ୍ତାନ୍ତର କରିବା ପରେ ରାସ୍ତାରୁ ଓହରିଥିଲେ । ଉଭୟ ପାର୍ଶ୍ବରୁ କଟକ ଭୁବନେଶ୍ୱର ଯାତ୍ରୀବାହୀ ବସ ସମେତ ଅନ୍ୟ ଯାନବାହାନ ଚଳାଚଳ ଠପ୍ ହୋଇପଡ଼ିଥିଲା ।


ସେୟାର କରନ୍ତୁ