କୁମାର ପୂର୍ଣ୍ଣମା : ଚଉରା ମୂଳରେ ଚାନ୍ଦ ପୂଜିବେ କୁମାରୀ

ଜୀବନଚର୍ଯ୍ୟା ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରବିବାର ପବିତ୍ର କୁମାର ପୂର୍ଣ୍ଣିମା । ଏହି ଦିନ ଭଲ ଜୀବନ ସାଥୀ ପାଇବାକୁ କୁମାରୀମାନେ ଚାନ୍ଦ ପୂଜା କରିଥାନ୍ତି । ମା’ ଗଜଲକ୍ଷ୍ମୀଙ୍କ ଆବାହନ ସାଙ୍ଗକୁ କୁଆର ପୁନେଇଁ ପୂଜାର୍ଚ୍ଚନା ପାଇଁ ବେଶ୍ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ସମେତ ଗାଁ ଗହଳି ଓ ପୁର ପଲ୍ଲୀ । କୁମାରୀ ଝିଅମାନେ ବି ପୂରା ପ୍ରସ୍ତୁତ । ଏହି ପୂଜାରେ ବିଶେଷ ଆକର୍ଷଣୀୟ ହୋଇଥାଏ ଗୀତ ସାଙ୍ଗକୁ କୁମାରୀମାନଙ୍କର ପୁଚି ଖେଳ । ଏହାକୁ ଜହ୍ନି ଓଷା ବୋଲି ମଧ୍ୟ କୁହାଯାଇଥାଏ ।

ଗାଁ ଗହଳି ଭଳି ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳର ଝିଅମାନଙ୍କ ମନରେ ଏହି ପର୍ବକୁ ନେଇ ବେଶ୍ ଉତ୍ସାହ । ଗାଁ ପରି ଏଠାରେ ଦଳ ଦଳ ହୋଇ ଝିଅମାନେ ତୁଳସୀ ଚଉଁରା ମୂଳକୁ ଯିବା ସମ୍ଭବ ହେଉ ନ ଥିଲେ ବି ଘରେ ଘରେ ଏହି ପରମ୍ପରାକୁ ଧରି ରଖିବାର ପ୍ରୟାସରେ ଆଦୌ ହେଳା କରୁ ନାହାନ୍ତି । ପୁଣି କିଛି ସାଂସ୍କୃତିକ ଅନୁଷ୍ଠାନ କୁମାର ଉତ୍ସବ ଆୟୋଜନ କରି ପରମ୍ପରାକୁ ଉଜ୍ଜୀବିତ କରି ରଖିବାକୁ ଉଦ୍ୟମ କରୁଛନ୍ତି ।

ପରମ୍ପରା ଅନୁଯାୟୀ କୁମାର ପୂର୍ଣ୍ଣିମାରେ ଏକ ମାସ ଧରି ଚାଲିଥିବା ମାନସିକ ଜହ୍ନି ଓଷା ଶେଷ ହେଉଛି । କୁମାରୀମାନେ ନୂଆ ଲୁଗା ପିନ୍ଧି ସୂର୍ଯ୍ୟଦେବତାଙ୍କୁ ଆଞ୍ଜୁଳି ଟେକନ୍ତି । ଚଉଁରା ମୂଳ ଲିପାପୋଛା କରି ମୁରୁଜ ପକାଇବା ସହ ବିଭିର୍ନ ପ୍ରକାର ଫୁଲ ଦ୍ୱାରା ସଜାଇ ପୂଜାର୍ଚ୍ଚନା କରନ୍ତି । ଖଇ, ଗୁଆ, କଦଳୀ, ନଡ଼ିଆ, କାକୁଡ଼ି, ଜହ୍ନି ଫୁଲ ଓ ଆଖୁ ଆଦି ନେଇ ଆଞ୍ଜୁଳି ଟେକିଥାନ୍ତି । ବିଶେଷ କରି ଏହି ଦିନ କାର୍ତିକେୟଙ୍କ ଜନ୍ମଦିନ ଥିବାରୁ ଏହି ପୂଜା କଲେ ତାଙ୍କ ଭଳି ସୁନ୍ଦର ଓ ବୀର ଜୀବନସାଥୀ ମିଳେ ବୋଲି କୁହାଯାଏ ।

ସେହିପରି ସନ୍ଧ୍ୟାରେ ଆଞ୍ଜୁଳି ଟେକିଥିବା ଲିଆ ଓ ଫଳରେ ଚାନ୍ଦ ତିଆରି କରି ବୃନ୍ଦାବତୀଙ୍କ ପାଖରେ ଭୋଗ କରିବେ । ପରେ ଚନ୍ଦ୍ରଙ୍କୁ ଦେଖିବା ପରେ ଏହି ଭୋଗ ଚାନ୍ଦକୁ ଖାଇ ନିଜ ବ୍ରତ ସମ୍ପନ୍ନ କରିବେ ।

ଏହି ଦିନରେ ସବୁଠାରୁ ଆକର୍ଷଣୀୟ ହୁଏ ସନ୍ଧ୍ୟାର ଚାନ୍ଦ ପୂଜା । କୁମାରୀମାନେ ଚଉଁରା ମୂଳେ ଏକତ୍ର ହୋଇ ଅପେକ୍ଷା କରି ରୁହନ୍ତି ଜହ୍ନ ଉଇଁବାକୁ । ଜହ୍ନ ଉଇଁଲେ ଆରମ୍ଭ ହୋଇଯାଏ ପୂଜା । କୁମାରୀଙ୍କ ହୁଳହୁଳି ଶବ୍ଦରେ କମ୍ପିଉଠେ ପୂରା ପରିବେଶ । ଖଇ, ନଡ଼ିଆ, କଦଳୀ, ଛେନା, ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୁନେଇଁ ଜହ୍ନକୁ ଭୋଗ ଲାଗେ । ପୂଜା ହେବା ପରେ ଏହାକୁ କୁଆଁରୀ ଝିଅମାନେ ଖାଆନ୍ତି । ପୁଣି ପରସ୍ପରକୁ ଖୁଆଇ ଚାନ୍ଦ ମଧ୍ୟ ବସନ୍ତି । ଏହା ପରେ ଆରମ୍ଭ ହୋଇଯାଏ କୁମାର ପୁନେଇଁ ଜହ୍ନ ଗୋ…. ଗୀତ ସାଙ୍ଗକୁ ପୁଚି ଖେଳ ।


ସେୟାର କରନ୍ତୁ