ଚାଲିଛି ରଥ ତିଆରି କାର୍ଯ୍ୟ, ରଥଖଳାକୁ ବୁଲି ତଦାରଖ କଲେ ବିଶେଷଜ୍ଞ ଟିମ

ରାଜ୍ୟ
ସେୟାର କରନ୍ତୁ

ପୁରୀ : ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସନ୍ତା ଜୁଲାଇ ମାସ 1ରେ ଅନୁଷ୍ଠିତ ହେବାକୁ ଯାଉଛି । ତିନି ରଥରେ ବିଜେ ହେବେ ତିନି ଠାକୁର । ଏଥିପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସାରିବାକୁ ମହାରଣାମାନେ ଜୋରସୋରରେ ଲାଗିପଡିଛନ୍ତି । ତିନି ରଥର 42ଟି ଚକ ମଧ୍ୟରୁ 39ଟି ଚକ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ସେହିପରି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନି ରଥର ଛଅଟି ଚକ ସହ ତିନୋଟି ଅଖ ଡେରା କାର୍ଯ୍ୟ ସରିଥିବା ବେଳେ ଆଗାମୀ ଶୀତଳ ଷଷ୍ଠୀ ପରଦିନ ସମସ୍ତ ଚକ ଅଖ ଡେରାଯିବ ।

ତେବେ ସୋମବାର ରଥଖଳା ଆସି ରଥ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଛଅ ଜଣିଆ ବିଶେଷଜ୍ଞ ଟିମ୍ । ବିଶ୍ଵକର୍ମା ମହାରଣାଙ୍କ ଦ୍ଵାରା ନିର୍ମାଣ ହୋଇଥିବା ସମସ୍ତ ଚକ ଓ ଅଖ ଗୁଡିକର ଅନୁଧ୍ୟାନ କରିଛନ୍ତି ବିଶେଷଜ୍ଞ ଟିମ୍ ର ଅଧ୍ୟକ୍ଷ ଏନ.ସି.ପାଲ୍ ।‌ କଞ୍ଚା କାଠ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଚକରେ ଫାଟ ସୃଷ୍ଟି ହୋଇଥିବା ବେଳେ ଏହାକୁ ନଟବୋଲ୍ଟ ଓ କ୍ଲାମ୍ପ ଫିଟିଙ୍ଗ କରାଯାଇ ମରାମତି କରାଯିବ । ତେଣୁ ରଥଯାତ୍ରା ସମୟରେ ଏହା କୈାଣସି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ ଟିମର ଅଧ୍ୟକ୍ଷ ଏନ୍ ସି ପାଲ୍ । ସେହିପରି ଆଜି ଏହି ଟିମ୍ ଗୁଣ୍ଡିଚା ମନ୍ଦିର ଯାଇ ସେଠାରେ ମଧ୍ୟ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।


ସେୟାର କରନ୍ତୁ