ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ରାସ୍ତା ମଝିରେ ଓଲଟିଲା ଆଇଚର ଟ୍ରକ, 20 ଆହତ 5 ଜଣ ଗୁରୁତର

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ସୁନୀଲ କୁମାର ନାୟକ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା 53 ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ଏକ ଶ୍ରମିକ ବୋଝେଇ ଆଇଚର ଟ୍ରକ ଓଲଟି ପଡିଛି । ଏଥିରେ ପ୍ରାୟ 25 ଜଣ ଶ୍ରମିକ ଯାଉଥିଲେ । ଏଥି ମଧ୍ୟରୁ 20 ଜଣ ଶ୍ରମିକ ଆହତ ହୋଇଥିବା ବେଳେ 5 ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ 5 ଜଣ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ, ଏହି ସମସ୍ତ ଶ୍ରମିକମାନେ ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରେ ନିୟୋଜିତ ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀର ହୋଇଥିବା ବେଳେ ଏହି ସମସ୍ତ ଶ୍ରମିକ ଅଣଓଡ଼ିଆ ହୋଇଥିବା ସୂଚନା ମିଳିଛି । ଟ୍ରକଟି ମୁକ୍ତାପଶି ରେଲୱେ ସାଇଡ଼ରୁ କମଳାଙ୍ଗ ଗାଁ ସ୍ଥିତ ରେଲୱେ ପ୍ରୋଜେକ୍ଟକୁ ଯାଉଥିବା ବେଳେ ବଡଝରା ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା ।

ତେବେ କିପରି ଏବଂ କେଉଁ ପରିସ୍ଥିତିରେ ସମ୍ପୃକ୍ତ ଠିକାସଂସ୍ଥା ବିନା ସୁରକ୍ଷାରେ ଶ୍ରମିକ ମାନଙ୍କୁ ଟ୍ରକରେ ନେଇ ଯାଉଥିଲା ତାହା ଏବେ ସ୍ପଷ୍ଟ ହୋଇନାହିଁ । ଏହି ଘଟଣାକୁ ଦେଖି ସାଧାରଣରେ ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।


ସେୟାର କରନ୍ତୁ