KGF 2’ର ଆକ୍ଟର ମୋହନ ଜୁନେଜାଙ୍କ ନିଧନ, ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଖେଳିଗଲା ଶୋକର ଛାୟା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବମ୍ପର ହିଟ ହୋଇଥିବା କେଜିଏଫ୍ ଚ୍ୟାପ୍ଟର 2’ରେ ନଜର ଆସିଥିବା ଅଭିନେତା ମୋହନ ଜୁନେଜାଙ୍କର ଶନିବାର ସକାଳେ ପରଲୋକ ଘଟିଛି । ଶନିବାର 7 ମଇ 2022ରେ ମୋହନ ଜୁନେଜାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତା ମୋହନ ଜୁନେଜା ବେଙ୍ଗାଲୁରୁ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ବୟସ ହୋଇଥିଲା । ଦର୍ଶକଙ୍କୁ ନିଜ କମେଡିରେ ହସାଉଥିବା ମୋହନ ଜୁନେଜା ଆଜି ଏ ଦୁନିଆ ଛାଡି ଚାଲିଯାଇଛନ୍ତି । ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଳିଥିବା ସୂଚନା ଅନୁସାରେ ଆଜି ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ମୋହନ ଜୁନେଜା ହାସ୍ୟଅଭିନେତା ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କେଜିଏଫରେ ସାମ୍ବାଦିକ ଆନନ୍ଦଙ୍କ ଇନଫର୍ମର ଭୂମିକାରେ ଅଭିନୟ କରିଥିଲେ । ସେ ଏହା ପୂର୍ବରୁ ତାମିଲ, ତେଲୁଗୁ, ମଲାୟାଲମ ଏବଂ ହିନ୍ଦୀ ଭାଷାର ଅନେକ ଫିଲ୍ମରେ କାମ କରିଛନ୍ତି । ସେ ତାଙ୍କ କ୍ୟାରିୟରରେ 100ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ସେ କେଜିଏଫ୍ ଚ୍ୟାପ୍ଟର 1 ଏବଂ କେଜିଏଫ୍ ଚ୍ୟାପ୍ଟର 2ରେ ନଜର ଆସିଥିଲେ । ଅଭିନେତା ତଥା ହାସ୍ୟଅଭିନେତା ମୋହନ ଜୁନେଜାଙ୍କୁ ‘ଚେତଲା’ ଫିଲ୍ମରେ ବଡ ବ୍ରେକ୍ ମିଳିଥିଲା । ଏହି ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିପାରିଥିଲା ।

ମୋହନ ଜୁନେଜା ପିଲାଦିନୁ ଅଭିନେତା ହେବାକୁ ଚାହୁଁଥିଲେ । କଲେଜ ସମୟରେ ସେ ନାଟକରେ ଭାଗ ନେଉଥିଲେ । 2008ରେ କନ୍ନଡ ଫିଲ୍ମ ‘ସଙ୍ଗମା’ରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ କନ୍ନଡ ତାମିଲ ଫିଲ୍ମରେ ‘ଟ୍ୟାକ୍ସି ନମ୍ବର’ରେ ଅଭିନୟ କରିଥିଲେ । 2010ରେ ସେ କନ୍ନଡ ଭାଷା ନାଟକ ‘ନାରଦ ବିଜୟା’ରେ ତାଙ୍କ ଜଲଓ୍ବା ଦେଖାଇଥିଲେ । ମୋହନ ଜୁନେଜା ଖାସ୍‌କରି କନ୍ନଡ ଫିଲ୍ମ ପାଇଁ ଜଣାଶୁଣା ଥିଲେ । 2018ରେ ସେ କନ୍ନଡ ଭାଷାର ହରର୍ ଫିଲ୍ମ ‘ନିଗୁଡା’ରେ କାମ କରିଥିଲେ । ମୋହନ ଜୁନେଜାଙ୍କ ପରଲୋକରେ ତାଙ୍କ ଫ୍ୟାନ୍ସ ମହଲ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।


ସେୟାର କରନ୍ତୁ