ଗରମ ସାଙ୍ଗକୁ ଗୁଳୁଗୁଳି, ଆଗକୁ ଆହୁରି ବଢିବ ପାରଦ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଆଗକୁ ଗରମ ସାଙ୍ଗକୁ ଗୁଳୁଗୁଳି ବଢିବ । ଏବେ ତ ତାତିରୁ ତ୍ରାହି ମିଳୁନାହିଁ, ଏମିତି ହେଲେ ଆହୁରି କଲବଲ ହେବ ସାରା ରାଜ୍ୟ । ତେବେ ରାଜ୍ୟର ଅଧିକାଂଶ ସ୍ଥାନରେ ତାତି 3ରୁ 5 ଡିଗ୍ରୀ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଶୁକ୍ରବାର ରାଜଧାନୀ ତାପମାତ୍ରା 40.8 ଡିଗ୍ରୀ ରେକର୍ଡ କରାଯାଇଛି ।

ରାଜ୍ୟରେ ଶନିବାରଠାରୁ ଗରମ ବଢିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବି ଆକଳନ କରିଛନ୍ତି । ଖୋର୍ଦ୍ଧା ସମେତ କେନ୍ଦ୍ରୀୟ ଉପକୂଳ ଓ ଉତ୍ତର ଉପକୂଳରେ ତାପମାତ୍ରା ବଢିବ । ଶନିବାରରୁ ସୋମବାର ଯାଏ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିବ । ରାଜ୍ୟକୁ ବହୁଥିବା ପଶ୍ଚିମା ଗରମ ପବନ ଉପକୂଳ ଯାଏ ସିଧା ପ୍ରବାହିତ ହେବ । ଉପକୂଳରେ ବହୁଥିବା ବଙ୍ଗୋପସାଗରୀୟ ଦକ୍ଷିଣା ପବନ ଦକ୍ଷିଣ ଉପକୂଳରେ ସୀମିତ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ଉଭୟ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣରେ ତାପମାତ୍ରା ଧୀରେ ଧୀରେ ବଢ଼ିବ । 26ରୁ ମାସ ଶେଷ ଯାଏ ପ୍ରବଳ ଗରମ ହେବ । 27ରୁ 29 ତାରିଖ ଭିତରେ ଟିଟିଲାଗଡ଼, ସୋନପୁର, ବଲାଙ୍ଗୀର, ଅନୁଗୁଳ ଓ ତାଳଚେରର କିଛି ସ୍ଥାନରେ 46ଡିଗ୍ରୀ ଟପିଯିିବାର ସମ୍ଭାବନା ରହିଛି । ଉତ୍ତର ଆଭ୍ୟନ୍ତରରେ ମାସ ଶେଷ ଯାଏ ଏହା ବଢ଼ିବ ବୋଲି ସେ କହିଛନ୍ତି ।

ସେପଟେ ଶୁକ୍ରବାର ବୌଦ୍ଧ ଓ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ଥିଲା । ଭୁବନେଶ୍ୱରର ତାପମାତ୍ରା 40.8 ଡିଗ୍ରୀ ଥିଲା । ଏହି 3 ସହରକୁ ଛାଡ଼ି ବାକି ସବୁ ସ୍ଥାନରେ ତାପମାତ୍ରା କମ୍‌ ଥିଲା । ତାଳଚେରରେ 35.6, ବଲାଙ୍ଗୀରରେ 35.7, ଟିଟିଲାଗଡରେ 36, ବାଲେଶ୍ୱରରେ 36.9 ଓ ସୋନପୁରରେ ତାପମାତ୍ରା 37 ଡିଗ୍ରୀ ଥିଲା । କିନ୍ତୁ ରାଜଧାନୀରେ ଅସହ୍ୟ ଗୁଳଗୁଳି ହୋଇଥିଲା । ମଧ୍ୟାହ୍ନରେ ବାହାରକୁ ଗଲେ ଦେହ ଓ ହାତ ପୋଡ଼ି ଯାଉଥିଲା । ଅପରାହ୍‌ଣ 5ଟା ପର୍ଯ୍ୟନ୍ତ ଗରମ ପବନ ବହୁଥିଲା ।

ଶନିବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁରରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।


ସେୟାର କରନ୍ତୁ