ଆଗକୁ ଭୀଷଣ ତାତି, ଆଭ୍ୟନ୍ତରୀଣ ଓଡ଼ିଶା ଆହୁରି ତାତିବ, 3 ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଖରା ଦିନକୁ ଦିନ ବଢି ବଢି ଚାଲୁଅଛି । ଆଭ୍ୟନ୍ତରୀଣ ଓଡ଼ିଶା ଆହୁରି ତାତିବ। ସ୍ୱାଭାବିକଠୁ 2ରୁ 3 ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା 4ରୁ 5ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ଶନିବାର ରାଜ୍ୟର 13ଟି ସହରର ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ସେଥି ମଧ୍ୟରୁ ଅଧିକାଂଶ ଜିଲ୍ଲା ଆଭ୍ୟନ୍ତରୀଣ ଓଡ଼ିଶାର । ତେବେ ଊଭୟ ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା 41.5 ଡିଗ୍ରୀ ସେଲସିୟସ୍‌ ରହିଥିଲା । ସେହିପରି ଝାରସୁଗୁଡ଼ାରେ 41.4 ଡିଗ୍ରୀ ସେଲସିୟସ୍‌, ଟିଟିଲାଗଡ଼ ଓ ବାରିପଦାରେ 41 ଡିଗ୍ରୀ ସେଲସିୟସ୍‌, ସୋନପୁରରେ 40.8 ଡିଗ୍ରୀ ସେଲସିୟସ୍‌, ଅନୁଗୁଳରେ 40.7 ଡିଗ୍ରୀ ସେଲସିୟସ୍‌, ତାଳଚେରରେ 40.4 ଡିଗ୍ରୀ ସେଲସିୟସ୍‌, ସମ୍ବଲପୁରରେ 40.2 ଡିଗ୍ରୀ ସେଲସିୟସ୍‌, ହୀରାକୁଦରେ 39.9 ଡିଗ୍ରୀ ସେଲସିୟସ୍‌, ଭବାନିପାଟଣାରେ 39.6 ଡିଗ୍ରୀ ସେଲସିୟସ୍‌, ସୁନ୍ଦରଗଡ଼ରେ 39.5 ଡିଗ୍ରୀ ସେଲସିୟସ୍‌ ଓ ମାଲକାନଗିରିରେ 39 ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା । ତେବେ ଆସନ୍ତା 4-5 ଦିନ ପର୍ଯ୍ୟନ୍ତ ରାଜ୍ୟର ଅନ୍ୟ ସ୍ଥାନରେ ବିଶେଷ ପରିବର୍ତ୍ତନ ହେବନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠୁ 2ରୁ 3 ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସେହିପରି ରବିବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ ପାଗ ଶୁଖିଲା ରହିବ ବୋଲି କେନ୍ଦ୍ର ଆକଳନ କରିଛି।


ସେୟାର କରନ୍ତୁ