ରାଜ୍ୟକୁ ଫେରିଲା ଶୀତ, କେତେକ ଜାଗାରେ କୁହୁଡ଼ି ମଧ୍ୟ ଅନୁଭୂତ ହେବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ ଶୀତର ପ୍ରଭାବ କମିବା ପରିଲକ୍ଷିତ ହୋଇଥିଲା । ତେବେ ପାଣିପାଗ ବିଭାଗ ପୂର୍ବରୁ ଆକଳନ ଅନୁଯାୟୀ, ରବିବାରଠୁ ରାଜ୍ୟରେ ଘନ କୁହୁଡ଼ି ସହ ଶୀତ ଲହରି ବହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରେ ଶୀତ ଲହରି ବହିବ । ସେହିଭଳି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ପୁରୀ ଓ ଗଜପତି ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେବ ।

5 ତାରିଖରୁ ରାଜ୍ୟକୁ ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା । ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହୋଇଛି । କୋରାପୁଟରେ ଶନିବାର ସର୍ବନିମ୍ନ ତାପମାତ୍ରା 9.5 ଡିଗ୍ରୀ ଥିଲା । ବୌଦ୍ଧରେ 10.5, ଝାରସୁଗୁଡ଼ାରେ 9.6, ଫୁଲବାଣୀରେ 10.2 ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପକ୍ଷରେ ପାରାଦୀପରେ 18.8, ଯାଜପୁରରେ 16.6, ଚାନ୍ଦବାଲିରେ 46.4, ଶୁକ୍ରବାର 43.4 ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ରେକର୍ଡ଼ କରିଛି । ରବିବାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇଛି । କଟକ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ କୁହୁଡ଼ି ହୋଇପାରେ ।

7 ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ ଓ ଢେଙ୍କାନାଳରେ ଘନ କୁହୁଡି ହୋଇପାରେ । ଉତ୍ତର ଉପକୂଳ ଓଡିଶା ସମେତ ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ ସ୍ୱଳ୍ପ କୁହୁଡ଼ି ହୋଇପାରେ । 8 ତାରିଖରେ ବି ଘନ କୁହୁଡି ଆଶଙ୍କା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।


ସେୟାର କରନ୍ତୁ