ଆଜିଠୁ ଦୁଇ ଦିନ ପ୍ରବଳ ବର୍ଷା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଚାଷୀ ଭାଇ ମାନଙ୍କ ପାଇଁ ଖୁସି ଖବର । ଏ ବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ଚାଷ କାର୍ଯ୍ୟରେ ବ୍ୟାଘାତ ଘଟୁ ଥିଲା । ଏହି ବର୍ଷା ଖରିଫ ଫସଲ ପାଇଁ ଅଧିକ ସହାୟକ ହେବ ବୋଲି ଆଶା କରାଯାଉଛି । ବିଶେଷକରି ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ରାଜ୍ୟର 19 ଜିଲ୍ଲା ମଧ୍ୟରୁ ବେଶ୍ କିଛି ଜିଲ୍ଲାରେ ଏହି ଲଘୁଚାପ ବର୍ଷା ଚାଷୀ ଭାଇମାନଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା 2 ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି । ଉତ୍ତର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ ଅନ୍ୟ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ତେଣୁ ଜୁଲାଇ 27 ତାରିଖ ଯାଏ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଲଘୁଚାପ ପ୍ରଭାବରୁ ଶୁକ୍ରବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ। 24 ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, କୋରାପୁଟ, ବରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । 25 ତାରିଖ ଦିନ ମୟୂରଭଞ୍ଜ ଓ କେନ୍ଦୁଝର ଏବଂ 26 ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଣୁ ଆସନ୍ତା 4 ଦିନ ପାଇଁ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।


ସେୟାର କରନ୍ତୁ