ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ବିଜୟଶ୍ରୀ ରାଉତରାୟଙ୍କ 67 ବର୍ଷ ବୟସରେ ପରଲୋକ । ତାଙ୍କର ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟଗତ ଜଟିଳତା ଯ଼ୋଗୁଁ ସେ ଚିକିତ୍ସିତ ହେଉଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନିଳମଣୀ ରାଉତରାୟଙ୍କ ପୁତ୍ର ହେଉଛନ୍ତି ବିଜୟଶ୍ରୀ ରାଉତରାୟ ।

ଭଦ୍ରକ ଜିଲ୍ଲାର ବାସୁଦେବପୁରରୁ 6 ଥର ବିଧାୟକଭାବେ ନିର୍ବାଚିତ ହୋଇଥିବା ସ୍ବର୍ଗତ ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସ୍ବାସ୍ଥ୍ୟ, ରାଜସ୍ବ, ଜଙ୍ଗଲ ଓ ପରିବେଶ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀଭାବେ କାର୍ୟ୍ୟ କରିଥିଲେ ।

ସେ ଜନତା ଦଳ ଟିକେଟରୁ ଦୁଇଥର 1990 1995 ଏବଂ ବିଜୁ ଜନତା ଦଳ ଟିକେଟରୁ ଚାରିଥର 2000,2004,2009 ଓ 2014 ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଉଭୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିବା ଶ୍ରୀ ରାଉତରାୟ ବିଜେଡ଼ିର କେତେକ ଜଣ ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।

1953 ମସିହା ଜୁଲାଇ 28ରେ ଜନ୍ମ ଗ୍ରହଣ କରିଥିବା ବିଜେଡିର ଏହି ପୁରୁଖା ନେତା ସରକାରରେ ଅନେକ ବିଭାଗରେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳିଥିଲେ । ବାର୍ଦ୍ଧକ୍ୟ ଏବଂ ଅସୁସ୍ଥତା କାରଣରୁ 2019ରେ ନିର୍ବାଚନରୁ ସନ୍ନ୍ୟାସ ନେଇଥିଲେ ।

ବିଜୟଶ୍ରୀଙ୍କ ପରଲୋକରେ ବହୁ ନେତା ଓ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି ।


ସେୟାର କରନ୍ତୁ