Coronavirus: ଦେଶରେ ପୂର୍ବ 24 ଘଣ୍ଟାରେ ଦର୍ଜ ହେଲା 49 ହଜାର ନୂଆ କେସ, ଏପର୍ଯ୍ୟନ୍ତ 31 ହଜାର ଲୋକଙ୍କ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ବିକଟାଳ ରୂପ ନେବାରେ ଲାଗିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ 13 ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ ଏପର୍ଯ୍ୟନ୍ତ 13 ଲକ୍ଷ 36 ହଜାର 861 ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ 31,358 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 8 ଲକ୍ଷ 49 ହଜାର ଲୋକ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଚାରି ଲକ୍ଷ 56 ହଜାର ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୂର୍ବ 24 ଘଣ୍ଟା ମଧ୍ୟରେ କରୋନା ଭାଇରସରେ 48 ହଜାର 916 ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ 757 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

କରୋନା ସଂକ୍ରମଣ ହିସାବରେ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଆମେରିକା ଓ ବ୍ରାଜିଲ ପରେ ଗୋଟିଏ ଦିନରେ ସବୁଠାରୁ ଅଧିକ ମାମଲା ମଧ୍ୟ ଭାରତରେ ଦର୍ଜ କରାଯାଉଛି । କିନ୍ତୁ ଯଦି ଆମେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ (4,248,194), ବ୍ରାଜିଲ (2,348,200)ରେ ଅଛି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ତୃତୀୟ ସ୍ଥାନରେ ରହିଅଛି ।

ଆକ୍ଟିଭ କେସ ମାମଲାରେ ଟପ-5 ରାଜ୍ୟ
ସଂଖ୍ୟା ମୁତାବକ, ଦେଶରେ ବର୍ତ୍ତମାନ ଚାରି ଲକ୍ଷ 55 ହଜାର କରୋନା ଆକ୍ଟିଭ ମାମଲା ରହିଛି । ସବୁଠାରୁ ବେଶି ସକ୍ରିୟ ମାମଲା ମହାରାଷ୍ଟ୍ରରେ ଅଛି । ମହାରାଷ୍ଟ୍ରରେ ଏକ ଲକ୍ଷ 40 ହଜାର ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହା ପରେ ଦ୍ୱିତୀୟ ନମ୍ବରରେ ତାମିଲନାଡୁ, ତୃତୀୟ ନମ୍ବରରେ ଦିଲ୍ଲୀ, ଚତୁର୍ଥ ନମ୍ବରରେ ଗୁଜୁରାଟ ଏବଂ ପଞ୍ଚମ ନମ୍ବରରେ ପଶ୍ଚିମବଙ୍ଗ ଅଛି । ଏହି ପାଞ୍ଚ ରାଜ୍ୟରେ ସବୁଠାରୁ ବେଶି ଆକ୍ଟିଭ କେସ ଅଛି । ଆକ୍ଟିଭ କେସ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି, ଅର୍ଥାତ୍ ଭାରତ ହେଉଛି ଏମିତି ତୃତୀୟ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।


ସେୟାର କରନ୍ତୁ