ପୁଣି ଥରେ ବାପ-ପୁଅ ଯୋଡ଼ି ପରଦା ଉପରକୁ ଫେରିବେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଆକ୍ଟର ଶହୀଦ କପୁର ବ୍ଲକ୍‌ବଷ୍ଟର ଫିଲ୍ମ ‘କବୀର ସିଂହ’ ପରେ ଏବେ ନିଜର ଅପ୍‌କମିଂ ଫିଲ୍ମ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ନୂଆ ଫିଲ୍ମଟି ହେଉଛି ତେଲଗୁ ଫିଲ୍ମ ‘ଜର୍ସି’ର ରିମେକ୍‌ ।

ଏହି ଫିଲ୍ମରେ ସେ ଜଣେ କ୍ରିକେଟିୟର ଭୂମିକାରେ ନଜର ଆସିବେ । ସେ ‘କବୀର ସିଂହ’ ଫିଲ୍ମ ପରି ଏହି ଫିଲ୍ମକୁ ମଧ୍ୟ ଜବରଦସ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ତେବେ ଏହି ଫିଲ୍ମକୁ ନେଇ ଆଉ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଅଛି ।

ସୂଚନା ମୁତାବକ, ଶହୀଦଙ୍କ ଅପକମିଂ ଫିଲ୍ମରେ ତାଙ୍କର ନିଜର ପିତା ପଙ୍କଜ କପୁର ନଜର ଆସିବେ । ସେ ଫିଲ୍ମ ସାଇନ୍‌ ମଧ୍ୟ କରିସାରିଲେଣି ।ଏହି ଫିଲ୍ମରେ ସେ ଶହୀଦଙ୍କ ମେଣ୍ଟର ଭୂମିକାରେ ନଜର ଆସିବେ । ପଙ୍କଜ ନିଜର ପୁଅ ସହ ଅଭିନୟ କରୁଥିବାରୁ ବେଶ୍ ଖୁସି ଅଛନ୍ତି ।

ସେ କହିଛନ୍ତି, ‘ଜର୍ସିର କାହାଣୀ ଅନେକ ମଜଭୂତ ଓ ଇମୋଶନ୍‌ ଭରା ରହିଛି । ଶହୀଦଙ୍କ ସହ କାମ କରିବାର ଅନୂଭବ ସବୁବେଳେ ଭଲ ହିଁ ରହିଛି । ଯେଉଁଭଳି ଭାବରେ ସେ ପ୍ରତ୍ୟେକ ଇମୋଶନ୍‌କୁ ପରିପ୍ରକାଶ କରନ୍ତି ତାହା ପ୍ରଶଂସା ଯୋଗ୍ୟ ଅଟେ ।’

ସୂଚନାଯୋଗ୍ୟ, ଏହା ପୂର୍ବରୁ ବାପ-ପୁଅଙ୍କ ଯୋଡ଼ି ଫିଲ୍ମ ‘ମୌସମ୍’ ଓ ‘ଶାନ୍‌ଦାର୍‌’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ଦୁଇଟି ବକ୍ସ ଅଫିସ୍‌ରେ ସେମିତି କିଛି ବିଶେଷ କରିପାରି ନଥିଲେ ମଧ୍ୟ ଫିଲ୍ମରେ ଶହୀଦ ଓ ପଙ୍କଜଙ୍କ ଅଭିନୟକୁ ସମସ୍ତେ ଖୁବ ପସନ୍ଦ କରିଥିଲେ ।

ଶହୀଦଙ୍କର ଏହି ଫିଲ୍ମଟି ତେଲୁଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ୍‌ ହେଉଛି । ଏହି ଫିଲ୍ମର ନିର୍ଦ୍ଦେଶନାର ଭାର ତୁଲାଇବେ ଗୌତମ ଟିନ୍ନାନୁରି । ସେ ଏହାର ତେଲୁଗୁ ଭର୍ସନର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।

ଏହି ଫିଲ୍ମରେ ମୃଣାଳ ଠାକୁର ଲିଡ୍‌ ହିରୋଇନ୍‌ ଭାବେ ଶାହିଦ୍‌ଙ୍କ ସହ ନଜର ଆସିବେ । ‘ସୁପର 30’ରେ ମୃଣାଳଙ୍କ ଆକ୍ଟିଙ୍ଗ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି ଫିଲ୍ମଟି 2020 ଅଗଷ୍ଟ 28 ତାରିଖରେ ରିଲିଜ୍ ହେବାକୁ ଯାଉଅଛି ।


ସେୟାର କରନ୍ତୁ