ଶବକୁ ସମ୍ମାନ ଯୋଗାଇଲେ ଆଇପିଏସ ଅଫିସର ଜୟନାରାୟଣ ପଙ୍କଜ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ସବୁବେଳେ କାର୍ଯ୍ୟରେ ଚଞ୍ଚଳ । ଚିନ୍ତାଧାରା ବି ଖୁବ୍ ଉତ୍ତମ । ଖାଲି ଏତିକି ନୁହେଁ ପୁଲିସ ବିଭାଗ ହେଉ ବା ଜନସାଧାରଣ ସେମାନଙ୍କ ହିତ ପାଇଁ କିଛି ଭିନ୍ନ ଉପାୟ ନେଇ କାମ କରି ଆସିଛନ୍ତି ଏହି ଆଇପିଏସ ଅଫିସର ଜଣଙ୍କ । କେତେବେଳେ ପୁଲିସ କାର୍ଯ୍ୟାଳୟ ପରିସରରେ ସୌନ୍ଦର୍ଯ୍ୟକରଣ ରକ୍ଷା କରିବା କଥା ହେଉ ତ କେତେବେଳେ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବା ପାଇଁ ନିଆରା ପ୍ରତିମୂର୍ତ୍ତୀ ତିଆରି କରିବା ।

ଏହାବାଦ ପୁଲିସ କର୍ମଚାରୀଙ୍କ ପାଇଁ କ୍ୟାମ୍ପସରେ ଜିମ୍ ଓ ଉନ୍ନତଧରଣର ସେଲୁନ୍ ତିଆରି କରି ଅଫିସର ଜଣଙ୍କ ବହୁ ପ୍ରଶଂସାର ହକଦାର ମଧ୍ୟ ହୋଇଛନ୍ତି । ସେ ଆଉ କେହି ନୁହେଁ ବରଂ ଆଇପିଏସ ଅଫିସର ତଥା କେନ୍ଦୁଝର ଜିଲ୍ଲା ଏସପି ଜୟନାରାୟଣ ପଙ୍କଜ । ଇଏତଗଲା ଜୀବିତ ବ୍ୟକ୍ତିଙ୍କ କଥା । ମୃତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ସମ୍ମାନ ଯୋଗଇଛନ୍ତି ଆଇପିଏସ ଅଫିସର ଶ୍ରୀ ପଙ୍କଜ । ସେ ଜଗତସିଂପୁରରେ ଏସପି ଥିଲା ବେଳେ ଏହି ଯୋଜନା ଗଢ଼ିଥିଲେ । ଏହି ଉତ୍ତମ କାର୍ଯ୍ୟ ପାଇଁ ଖାଲି ଜିଲ୍ଲା ପୁଲିସ ନୁହେଁ ବରଂ ପୁରା ରାଜ୍ୟ ତାଙ୍କୁ ବାହା ବାହା ଜଣାଇଛି ।

ସେ ଜଣା ହେଉ କି ଅଜଣା ଶବ । ସବୁ ବେଳେ ଶବଗୁଡିକୁ ବୋହି ବ୍ୟବଚ୍ଛେଦ ଲାଗି ହସ୍ପିଟାଲକୁ ନେବା ପୁଲିସ ପାଇଁ କାଠିକର ପାଠ ହୋଇ ପଡୁଥିଲା । ବିଳମ୍ବରେ ମିଳୁଥିବା ଶବ ପଚିସଢ଼ି ଯାଇଥିବାରୁ ସେଗୁଡିକୁ ନେବା ଆଣିବା କରିବା ପାଇଁ ପୁଲିସକୁ ଅଣାୟତ ହେବାକୁ ପଡୁଥିଲା । ଯାହା ଫଳରେ ପୁଲିସକୁ ତଦନ୍ତ ପାଇଁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ତେଣୁ ଏସବୁ ସମସ୍ୟା ନଉପୁଜିବା ପାଇଁ ସେତେବେଳର ଜଗତସିଂପୁର ଏସପି ଶ୍ରୀ ପଙ୍କଜ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଯୋଜନା ମୁତାବକ ଶବକୁ ବୋହିବା ଓ ସଂରକ୍ଷିତ ରଖିବା ପାଇଁ ଜିଲ୍ଲାର ପ୍ରତ୍ୟେକ ଥାନାକୁ ସ୍ୱତନ୍ତ୍ର ବ୍ୟାଗ୍, ବାକ୍ସ ଓ କଫିନ୍ ଯୋଗାଇ ଦିଆଯିବ । ଫଳରେ ଶବକୁ ସମ୍ମାନ ମିଳିବା ସହ ପୁଲିସର ତଦନ୍ତରେ ସହାୟକ ହୋଇପାରିବ ବୋଲି ପୁଲିସ ସୂଚନା ଦେଇଛି ।

ଏଥିସହ ଯୋଗାଇ ଦିଆଯାଇଥିବା ବ୍ୟାଗରେ ଏକ ରାସାୟନିକ ଦ୍ରବ୍ୟ ରହିଛି ଯାହା ଶବକୁ ସଂରକ୍ଷଣ କରିବାରେ ସହାୟକ ହେବ ବୋଲି ଜଣାପଡିଛି । ଏସପି ଜୟନାରାୟଣ ପଙ୍କଜ ଯୋଜନା ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି ଯେ, ଜଣେ ବ୍ୟକ୍ତି ବିଶେଷ ବଞ୍ଚିଥିବା ସମୟରେ ତାଙ୍କର ସମ୍ପର୍କୀୟମାନେ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଜଣାନ୍ତି । ହେଲେ କୌଣସି କାରଣରୁ ଯଦି ସେହି ବ୍ୟକ୍ତି ଜଣଙ୍କର ଅକସ୍ମାତ ମୃତ୍ୟୁ ହୋଇଯାଏ ତେବେ ଥାନାରେ ତାଙ୍କୁ ଉପଯୁକ୍ତ ସମ୍ମାନ ମିଳିନଥାଏ । ଶବକୁ ସମସ୍ତ ପ୍ରକାର ସମ୍ମାନ ଦେବା ପାଇଁ ଏପରି ପ୍ରୟାସ କରାଯାଇଥିବା ସେ କହିଛନ୍ତି ।


ସେୟାର କରନ୍ତୁ