ରାଜଧାନୀରେ ଲହଡ଼ି ମାରିଲା ବର୍ଷା ପାଣି…ରାସ୍ତାରେ ଅଣ୍ଟାଏ ଅଣ୍ଟାଏ ପାଣି, ଗାଡ଼ି ମଟର ବୁଡ଼ିଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ଆସିଲା ସତ ହେଲେ ଅସରାଏ ବର୍ଷାରେ ଅନେକ ସ୍ଥାନ ପାଣିରେ ବୁଡ଼ି ଯାଉଥିବା ଦେଖିବାକୁ ମିଳିଛି । ଫଳରେ ଯାତ୍ରୀଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡ଼ିଛି । ଗାଁ ଗଣ୍ଡା ତ ଛାଡ଼ ଖୋଦ୍ ରାଜଧାନୀରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ ଅପଣଙ୍କ ହୋସ ଉଡ଼େଇ ଦେବ । ଦେଢ଼ ଘଣ୍ଟା କାଳ ବର୍ଷାରେ ଭୁବନେଶ୍ୱର ରାସ୍ତାରେ ବର୍ଷା ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି । ରାସ୍ତାଘାଟ ଯେମିତି ନଦୀ ପାଲଟି ଯାଇଛି । ଡ୍ରେନଏଜ୍ ବ୍ୟବସ୍ଥା ନଥିବାରୁ ରାଜଧାନୀବାସୀଙ୍କୁ ଏମିତି ସମସ୍ୟା ଭୋଗିବାକୁ ପଡିଛି ବୋଲି ସାଧାରଣରେ ମତ ରହିଛି ।

ଶନିବାର ଅପରାହ୍ନ ୧.୩୦ଟା ହେବ । ହଠାତ୍ ଘଡ଼ଘଡ଼ି ସହ ବର୍ଷା ବରଷିବାକୁ ଲାଗିଲା । ଚାହୁଁ ଚାହିଁ ରାସ୍ତାଘାଟରେ ବର୍ଷା ପାଣି ଲହଡ଼ି ମାରିଲା । ଗାଡ଼ି ମଟର ଚଳାଚଳ ତ ଯେମିତି ଠପ ହୋଇଗଲା । ଯିଏ ଯୋଉଠି ଥିଲେ ସେଏଠି ହିଁ ଛିଡ଼ା ହୋଇ ରହିଲେ । ସିଆରପିରୁ ଜୟଦେବ ବିହାରକୁ ସଂଯୋଗ କରୁଥିବା ରାସ୍ତାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଗାଡ଼ି ବୁଡ଼ିଯିବା ସହ ଲୋକେ ଅଣ୍ଟାଏ ଅଣ୍ଟାଏ ପାଣିରେ ଗାଡ଼ିକୁ ଜଗି ରହିଥିବା ଦେଖାଯାଇଛି । ବହୁ ଲୋକେ ତ ଗାଡ଼ିରୁ ବାହାରି ଇସ୍କନ ମନ୍ଦିରକୁ ଉଠି ଯାଇଥିବା ସୂଚନା ମିଳିଛି ।

ରାସ୍ତାଘାଟ ବୁଡ଼ିଯିବା ଯୋଗୁ ସିଆରପି ଆଡୁ ଗାଡ଼ି ଯାତାୟତ ଠପ ହୋଇଯାଇଥିଲା । ଫଳରେ ରାସ୍ତାରେ ଗାଡ଼ି ମଟରର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ରାସ୍ତାରେ ଟ୍ରାଫିକ୍ ସମସ୍ୟ ଉପୁଜିଥିଲା । ସବୁଠୁ ମଜା କଥା ହେଉଛି ଯେ, ଏସବୁ ଦୃଶ୍ୟକୁ ଦେଖିବା ପାଇଁ ରାସ୍ତାକୁ ଲାଗିକି ଯାଇଥିବା ଫ୍ଲାଇଓଭର ବ୍ରିଜ ଉପରେ ଲୋକଙ୍କ ଭିଡ଼ ଜମିଥିଲା । ସମସ୍ତ ଦୃଶ୍ୟକୁ ଫଟୋ ଉଠାଇଥିଲେ ଲୋକେ । ଏହାକି ସୋସାଲ ମିଡ଼ିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । ଏହି ସମସ୍ୟାକୁ ଏଡ଼େଇବା ପାଇଁ ଡ୍ରେନଏଜ୍ ବ୍ୟବସ୍ଥା ସୁଧାରିବା ପାଇଁ ଦାବି ହୋଇଛି ।


ସେୟାର କରନ୍ତୁ