ଶିଶୁ ସୁରକ୍ଷା ଅଧିକାରୀଙ୍କ କବଳରୁ ନିର୍ଯ୍ୟାତିତ ଶିଶୁ ଉଦ୍ଧାର…’ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜ୍ୟରେ ନିର୍ଯ୍ୟାତନାର ଶୀକାର ହେଉଥିବା କୋମଳମତି ଶିଶୁଙ୍କୁ ରକ୍ଷା କରିବା ଓ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତି ଜିଲ୍ଲାରେ ଶିଶୁ ସୁରକ୍ଷା ଅଧିକାରୀ ନିୟୋଜିତ ହୋଇଥାଆନ୍ତି । ହେଲେ ସେହି ଅଧିକାରୀ ଯେ ରକ୍ଷକ ନୁହେଁ ବରଂ ଭକ୍ଷକ ସାଜିବେ ତାହା ଶିଶୁଙ୍କ ସୁରକ୍ଷା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏମିତି ଏକ ଘଟଣା ଆଜି ରାଜଧାନୀରେ ଘଟିଛି ଯାହା ଜଣେ ଶିଶୁ ସୁରକ୍ଷା ଅଧିକାରୀଙ୍କ ଅସଲମୁଖା ସାମ୍ନାକୁ ଆଣିଛି ।

ଅନୁଗୁଳର ଏହି ଶିଶୁ ସୁରକ୍ଷା ଅଧିକାରୀ ୮ବର୍ଷର ଜଣେ ନାବାଳିକା ଶିଶୁକୁ ନିଜ ଘରେ ରଖି ନିର୍ଯ୍ୟାତନା ଦେଇଆସୁଥିବା ଜଣାପଡିଛି । ଯାହା ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଖାଲି ଏତିକି ନୁହେଁ ଖବର ପାଇ ଉକ୍ତ ଶିଶୁକୁ ଗତକାଲି ଭୁବନେଶ୍ୱର ରେଳଷ୍ଟେସନରୁ ପୁଲିସ ଓ ଚାଇଲ୍ଡ ଲାଇନ୍ କର୍ମକର୍ତା ଉଦ୍ଧାର କରିଛନ୍ତି ।

ଅନ୍ୟପଟରେ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଇଲ୍ଡ ଲାଇନ ପକ୍ଷରୁ ସିଡ଼ବ୍ଲ୍ୟୁସିରେ ଏକ ମାମଲା ରୁଜୁ ହୋଇଥିବା ଚାଇଲ୍ଡ ଲାଇନ ମୁଖ୍ୟ ବେଣୁଧର ସେନାପତି ସୂଚନା ଦେଇଛନ୍ତି । ଏହାବାଦ୍ କାର୍ଯ୍ୟାନୁଷ୍ଠାନ ଲାଗି ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକଙ୍କୁ ଏକ ଚିଠି କରାଯାଇଥିବା ସେ କହିଛନ୍ତି ।

ସୂଚନାମୁତାବକ, ଅନୁଗୁଳ ଜିଲ୍ଲାରେ ଶିଶୁ ସୁରକ୍ଷା ଅଧିକାରୀ ଭାବେ ଅନୁରାଧା ନାୟକ ନିୟୋଜିତ ଥିବା ବେଳେ ସେ ପାଖାପାଖି ଦୁଇ ମାସ ହେବ ଜଣେ ୮ବର୍ଷର ନାବାଳିକା ଶିଶୁକୁ ନିଜ ଘରେ ରଖି ନିର୍ଯ୍ୟାତନା ଦେଇ ଆସୁଥିଲେ । ଘର କାମ କରାଇବାଠୁ ଧରି ସ୍ୱାମୀଙ୍କ ଗୋଡ଼ ମୋଡିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ଜଣାପଡିଛି । ଶିଶୁଟିକୁ ପାଠ ପଢ଼ାଇବାକୁ କହି ସେ ଘର କାମ କରାଉଥିବା ଅଭିଯୋଗ ହୋଇଛି । ଶିଶୁଟିର ଘର ଭୁବନେଶ୍ୱର ଇନଫୋସିଟି ଅଚଂଳରେ ହୋଇଥିବାରୁ ରଜ ପାଳିବା ପାଇଁ ଅନୁରାଧା ତାକୁ କିଛି ଦିନ ପାଇଁ ଘରେ ଛାଡିଥିଲେ । ରଜ ଶେଷ ହେଉଥିବାରୁ ସେ ଆସି ଶିଶୁଟିକୁ ଅନୁଗୁଳ ନେଇ ଯାଉଥିବା ବେଳେ ଗତକାଲି ପୁଲିସ ଓ ଚାଇଲ୍ଡ ଲାଇନ କର୍ମକର୍ତା ଆଭାସ ପାଇ ରେଳ ଷ୍ଟେସନରେ ଚଢ଼ଉ କରି ଅନୁରାଧାକୁ ଧରିଥିଲେ । ଇତିମଧ୍ୟରେ ଚାଇଲ୍ଡ ଲାଇନ ମୁଖ୍ୟ ଶିଶୁଟିର ବୟାନ ରେକର୍ଡ କରିଥିବା ଜଣାପଡିଛି ।


ସେୟାର କରନ୍ତୁ