ଦୀପିକାଙ୍କ ପାଇଁ ୨୦୧୮ ରଜ ଥିଲା ଶେଷ ରଜ…ସ୍ୱାମୀଙ୍କ ମାଡ଼ରେ ପ୍ରାଣ ଗଲା, ବନ୍ଧା ହେଲା ସ୍ୱାମୀ, ଶ୍ୱଶୁରଶାଶୁ ଫେରାର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ସହିଦନଗର ଅଚଂଳରେ ଜଣେ ବଧୁଙ୍କ ପାଇଁ ୨୦୧୮ ରଜ ଥିଲା ଶେଷ ରଜ । କାରଣ ଘରୁ ଅଲଗା ରହି ବହୁ ଦିନ ପରେ ରଜ ପାଳିବା ପାଇଁ ଶାଶୁ ଘରକୁ ବୁଲିବାକୁ ଯାଇଥିଲେ । ହେଲେ କ’ଣ ଜଣାଥିଲା ଯେ ଯୌତୁକ ଦାବି ତାଙ୍କ ପାଇଁ ମହଙ୍ଗା ପଡିବ । ସ୍ୱାମୀଙ୍କ ନିର୍ଘାତ ମାଡ଼ରେ ତାଙ୍କ ଜୀବନ ଯିବ । ଏମିତି ଏକ ଘଟଣା ଘଟିଛି ସହିଦନଗର ଥାନା ଅଧୀନ ବାଙ୍କୁଆଳ ଅଚଂଳରେ ଯାହା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଯୌତକ ଦାବି କରି ପତ୍ନୀଙ୍କୁ ହତ୍ୟା କରିଛି ସ୍ୱାମୀ । ଖବର ପାଇ କମିଶନରେଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିିବା ସହ ଏକ ହତ୍ୟା ମାମଲା ରୁଜୁ କରି ସ୍ୱାମୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବାସୁଆଘାଇ ଗ୍ରାମର ଅଜିତ ରଣା । ଶନିବାର ଅଜିତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି । ମୃତ ମହିଳା ଦୀପିକା ରଣାଙ୍କ ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଅନ୍ୟପଟରେ ଦୀପିକାଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ ଥିବା ଶାଶୁ ଓ ଶ୍ୱଶୂରଙ୍କୁ ପୁଲିସ ଧରିବା ପାଇଁ ଚଢଉ ଜାରି ରଖିଛି ।
ସୂଚନାଯୋଗ୍ୟ, ସହିଦନଗର ଥାନା ବାସୁଆଘାଇ ଗ୍ରାମର ଭାରତ ରଣାଙ୍କ ପୁଅ ଅଜିିତ ରଣା ଓ ପରିବାର ଲୋକେ ରୁହନ୍ତି । ଅଜିତ ୨୦୧୫ ମସିହାରେ ବାଲିଅନ୍ତାର ପ୍ରଦୀପ୍ତ ରଣାଙ୍କ ଝିଅ ଦୀପିକା ରଣାଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ଶ୍ୱଶୁର ଘର ଲୋକେ ସମସ୍ତ ଜିନିଷପତ୍ର ଦେଇଥିଲେ । ଅଜିତ ଟଙ୍କପାଣି ସାଇମନ୍ଦିର ନିକଟରେ ଏକ ନନ୍ଦ ଫ୍ୟାକ୍ଟ୍ରି କରିଛନ୍ତିି । ପ୍ରତ୍ୟେକ ଦିନ ଅଜିତ ପ୍ରଚୁର ମଦ୍ୟପାନ କରି ଘରକୁ ଆସୁଥିବାରୁ ବାପ ପୁଅଙ୍କ ମଧ୍ୟରେ କଳିଝଗଡା ଲାଗିରହୁଥିଲା ।
ଅଜିତ ଘରୁ ରାଗି ଆସି ପତ୍ନୀଙ୍କ ସହ ବାଙ୍କୁଆଳ ଗ୍ରାମରେ ଭଡାରେ ରହୁଥିଲେ । ଦୁହେଁ ୫ ମାସ ଧରି ସେଠାରେ ରହିବା ପରେ ଅଜିତ ପତ୍ନୀକୁ ଯୌତୁକ ଦାବି କରିଥିଲେ । ବାପାଙ୍କଠାରୁ ଆଉ ଖଣ୍ଡେ ଜମି ଆଣିବା ପାଇଁ ପତ୍ନୀଙ୍କୁ କହିଥିଲେ । କିନ୍ତୁ ଏହାକୁ ବିରୋଧ କରିଥିଲେ ପତ୍ନୀ ଦୀପିକା ।ଏହାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଆରମ୍ଭ ହୋଇଥିଲା କଳିଝଗଡା । ଅଜିତ ପ୍ରତ୍ୟେକ ଦିନ ମଦ୍ୟପାନ କରି ସ୍ତ୍ରୀକୁ ମାର ଧର କରିବା ସହିତ ୧୫ ଦିନ ପୂର୍ବେ ବାପ ଘରକୁ ପଠାଇ ଦେଇଥିଲେ ।
ଶ୍ୱଶୁର ପ୍ରଦୀପ୍ତ ବୁଝାସୁଝା କରି ଝିଅକୁ ବାଙ୍କୁଆଳରେ ଛାଡି ଦେଇଥିଲେ । ରଜ ପୂର୍ବରୁ ଅଜିତ ଦୀପିକାଙ୍କ ପାଇଁ ଶାଢ଼ି ମଧ୍ୟ କିଣାକିଣି କରିଥିଲା । ଅଜିତଙ୍କ ବାପା ରଜ ପାଇଁ ପୁଅ ବୋହୂଙ୍କୁ ଘରକୁ ଡାକିଥିଲେ । ଦୁହେଁ ଘରକୁ ବୁଲିବାକୁ ଆସିଥିଲେ । ବାପାଙ୍କଠୁ ଜମି ଆଣିବାକୁ ଶ୍ୱଶୁର ଘର ଲୋକେ ପୁନର୍ବାର ଦୀପିକାଙ୍କୁ ଦାବି କରିବାରୁ ଏହାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଅଜିତ ରାତି ପ୍ରାୟ ୧୧ଟା ୩୦ ମିନିଟରେ ସ୍ତ୍ରୀକୁ ନିର୍ଘାତ ମାଡ ମାରିଥିଲା । ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି  ମୃତଦେହକୁ ଜବତ କରିବା ସହ ସ୍ୱାମୀକୁ ଗିରଫ କରିଥିଲା ।  ।

ସେୟାର କରନ୍ତୁ