ରତ୍ନଭଣ୍ଡାର ଚାବି ହଜିବା ଏବଂ ଅଚାନକ ଏକ ନକଲି ଚାବି ମିଳିବା ହେଉଛି ମିଲେନିୟମର ସବୁଠୁ ବଡ ଘୋଟାଲା: ବିଜେପି

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ୱର: ନିୟମାନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ଟ୍ରେଜେରୀରେ ରହିବାର ବ୍ୟବସ୍ଥା ଥିଲେ ହେଁ ୧୯୭୦ ମସିହାରୁ ଚାବି ଟ୍ରେଜେରୀକୁ ଫେରିନଥିଲା । ତାହେଲେ ୧୯୭୮ ଏବଂ ୧୯୮୫ ମସିହାରେ ଖୋଲାଯାଇଥିବା ରତ୍ନଭଣ୍ଡାରର ଚାବି କେଉଁଠୁ ଏବଂ କିପରି ଆସିଲା ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

ହଜାରେ ବର୍ଷରୁ ଉର୍ଦ୍ଧ ଜଗନ୍ନାଥ ସଂସ୍କୃତି ଏବଂ ପରଂପରାର ପ୍ରତୀକ ସମଗ୍ର ଓଡିଆ ଜାତିର କୋଠ ସଂପତି ରତ୍ନଭଣ୍ଡାର ଚାବି ହଜିଯିବା ଚଳିତ ମିଲେନିୟମର ସବୁଠୁ ବଡ ଘୋଟାଲା ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ଆଜି କାଲି କଥା କଥାକେ ମୁଖ୍ୟମନ୍ତ୍ରୀ ନିଜର ବୟାନ ରଖୁଥିବାବେଳେ ରତ୍ନ ଭଣ୍ଡାର ଚାବି ହଜିବା ପରି ସମସ୍ତ ଜଗନ୍ନାଥ ପ୍ରେମୀ ଏବଂ ୮୦ କୋଟି ହିନ୍ଦୁଙ୍କ ଧର୍ମୀୟ ଭାବନା ଓ ସମ୍ବେଦନ ସହ ଜଡିତ ଏଭଳି ଏକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏପ୍ରିଲ ୪ ତାରିଖରୁ ଚାବି ହଜିବା ଜାଣି ମୁଖ୍ୟମନ୍ତ୍ରୀ କୌଣସି ମତାମତ ନଦେବା ଏବଂ ମାର୍ ମାର୍ ଭଣ୍ଡାରିଆକୁ ମାର୍ ନ୍ୟାୟରେ ପ୍ରଶାସକ ପ୍ରଦୀପ ଜେନାକୁ ବଦଳି କରି ନୂଆ ପ୍ରଶାସକଙ୍କୁ ନିଯୁକ୍ତି ଦେବା ଘଟଣା ସଂପୂର୍ଣ୍ଣଭାବେ ରାଜ୍ୟସରକାରଙ୍କ କାର୍ଯ୍ୟକଳାପକୁ ସନ୍ଦେହ ଘେରକୁ ଟାଣୁଛି ।

ନୂତନ ପ୍ରଶାସକ ନିଯୁକ୍ତ ହେବା ଏବଂ ଏହା ପରେ ଅଚାନକ ଗତକାଲି ଏକ ନକଲି ଚାବି ରେକର୍ଡ ରୁମରୁ ମିଳିବା ଘଟଣା ଅତ୍ୟନ୍ତ ସନ୍ଦେହଜନକ । ହଜାରେ ବର୍ଷରୁ ଉର୍ଦ୍ଧ ଜଗନ୍ନାଥ ସଂସ୍କୃତି ଏବଂ ପରଂପରାର ପ୍ରତୀକ ସମଗ୍ର ଓଡିଆ ଜାତିର କୋଠ ସଂପତି ରତ୍ନଭଣ୍ଡାର ଚାବି ହଜିଯିବା ଚଳିତ ମିଲେନିୟମର ସବୁଠୁ ବଡ ଘୋଟାଲା ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ରାଜ୍ୟସରକାର ନିଜ ଦୋଷକୁ ଲୁଚାଇବାକୁ ଯାଇ ଗୋଟିଏ ପରେ ଗୋଟିଏ ମିଥ୍ୟା ତଥ୍ୟ ରଖି ନିଜେ ଅଡୁଆ ସୁତାରେ ଛନ୍ଦି ହୋଇ ପଡିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ପ୍ରବକ୍ତା ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ଏବଂ ଗତକାଲି ଅଚାନକ ଏକ ନକଲି ଚାବି ମିଳିବା ଘଟଣାରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ତୃତୀୟ ମହଲାର ଜଣେ କ୍ଷମତାଶୀଳ ପ୍ରଶାସନିକ ଅଧିକାରୀ, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏବଂ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ହେଉଛନ୍ତି ମୁଖ୍ୟ ଷଡଯନ୍ତ୍ରକାରୀ । ଏହି ସମସ୍ତ ବ୍ୟକ୍ତି ବିଶେଷଙ୍କର ସୁକଳ୍ପିତ ଯୋଜନା ମାଧ୍ୟମରେ ଏ ସମସ୍ତ ଘଟଣା ଘଟିଚାଲିଛି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।

ରତ୍ନଭଣ୍ଡାର ଚାବି ମିଳିବା ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳଙ୍କ ଗତକାଲିର ବକ୍ତବ୍ୟ ଏବଂ ଆଜିର ବକ୍ତବ୍ୟ ଭିତରେ ତାଳମେଳ ନଥିବାର ପରିଲକ୍ଷିତ ହେଉନାହିଁ ବରଂ ଅଧିକ ଦ୍ୱନ୍ଦ ସୃଷ୍ଟି ହୋଇଛି । ତଦନ୍ତ କମିଶନ ଗଠନ ହୋଇସାରିଥିବାବେଳେ କେଉଁ ପରିସ୍ଥିତି ଏବଂ କାହା ପ୍ରରୋଚନାରେ ଜିଲ୍ଲାପାଳ ଆଜି ଗଣମାଧ୍ୟମ ସମ୍ମୁଖରେ ମତ ପ୍ରକାଶ କରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

୧୯୬୦ ଶ୍ରୀମନ୍ଦିର ଆଇନ ଆନୁଯାୟୀ ରତ୍ନ ଭଣ୍ଡାରରେ ୨ଟି ତାଲା ପଡି ଜଉମୁଦ କରାଯିବାର ବ୍ୟବସ୍ଥା ରହିଛି । ଜଉମୁଦରେ ମନ୍ଦିର ପ୍ରଶାସନର ସଦସ୍ୟମାନେ ଦସ୍ତଖତ କରିବେ ଏବଂ ସେ ଚାବିକୁ ମନ୍ଦିର ପ୍ରଶାସକ ସରକାରୀ ଟ୍ରେଜେରୀରେ ରଖିବେ । ଏଭଳି ନିୟମ ଉଲ୍ଲେଖ ଥିବା ସମୟରେ କେଉଁ ପରିସ୍ଥିତିରେ ଏକ ନକଲି ଚାବି ରେକର୍ଡ ରୁମରୁ ମିଳିଲା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେଉଁ ପରିସ୍ଥିତିରେ ରତ୍ନଭଣ୍ଡାରର ଚାବି ରେକର୍ଡ ରୁମକୁ ଆସିଲା ତାହାର ଉତର ମୁଖ୍ୟମନ୍ତ୍ରୀ ସମଗ୍ର ଓଡିଶାବାସୀଙ୍କ ଆଗରେ ରଖନ୍ତୁ । ଯଦି ଟ୍ରେଜେରୀରୁ ଚାବି ହଜିଲା ତେବେ ରାଜ୍ୟସରକାର କାହିଁକି ସଂପୃକ୍ତ ଅଭିଯୁକ୍ତମାନଙ୍କ ନାଁରେ ଏତଲା ନଦେଇ ଚୁପ୍ ବସିଥିଲେ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ ଉଠାଇଛନ୍ତି ।

ନକଲି ଚାବି ମିଳିବା ଅର୍ଥ ହେଉଛି ଅସଲି ଚାବିକୁ କିଏ ଚୋରି କରିଛି । ଗତକାଲିଠୁ ରତ୍ନଭଣ୍ଡାରର ନକଲି ଚାବି ମିଳିବାପରେ ସେ ଚାବିକୁ ଜିଲ୍ଲାପାଳଙ୍କ ଦ୍ୱାରା ଯାଂଚ ନକରି କେଉଁ ଆଧାରରେ ଏହି ଚାବିକୁ ରତ୍ନ ଭଣ୍ଡାରର ଚାବି ବୋଲି କୁହାଯାଉଛି ତାହା ରାଜ୍ୟସରକାର ସ୍ପଷ୍ଟ କରନ୍ତୁ । ହିନ୍ଦୁ ଧର୍ମର ଧାର୍ମିକ ଭାବନା ସହ ଖେଳ ଖେଳୁଛନ୍ତି ପୁରୀ ଜିଲ୍ଲାପାଳ । ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସମୟରେ ବ୍ରହ୍ମ ବିଭ୍ରାଟ, ନିଳାଦ୍ରୀ ବିଜେ ଏବଂ ଏବେ ଚାବି ହଜିବା ଘଟଣାଭଳି ଅନେକ ଅଘଟଣ ଘଟିଚାଲିଛି । ଗତକାଲି ବିଜେପି ଦେଇଥିବା ଏତଲାକୁ ବିଭ୍ରାନ୍ତ କରିବା ଏବଂ ସାରା ଓଡିଶାରେ ଯେଉଁ ଜନଅସନ୍ତୋଷ ସୃଷ୍ଟି ହୋଇଛି ତାକୁ ଅନ୍ୟ ଦିଶା ଦେବା ପାଇଁ ଜିଲ୍ଲାପାଳ ଏକ ବିଫଳ ପ୍ରୟାସ କରିଛନ୍ତି । ଯଦି ରାଜ୍ୟସରକାରଙ୍କ ସତସାହାସ ଅଛି ତେବେ ଗତକାଲି ବିଜେପି ଦେଇଥିବା ଏତଲାକୁ ଗ୍ରହଣ କରି ଆଜି ସଂଦ୍ଧା ସୁଦ୍ଧା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗୱାଲଙ୍କୁ ଗିରଫ କରାଯାଉ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି ।

ଗତକାଲି ମିଳିଥିବା ରତ୍ନଭଣ୍ଡାରର ଚାବି ଅସଲି ଚାବି ନୁହେଁ । ଅସଲି ଚାବିକୁ କିଏ ଚୋରି କରିଛି ତାହା ସ୍ପଷ୍ଟ ହେବା ଦରକାର । ଚାବି ଚୋରି ହେବା ପରେ କାହିଁକି ଏତଲା ଦିଆଗଲାନି, ନକଲି ଚାବି କିଏ ରେକର୍ଡରୁମରେ ରଖିଥିଲା, ଏହି ଚାବିକୁ କେବେ ତିଆରି କରାଗଲା, ସରକାରୀ ଟ୍ରେଜେରୀରେ ରହିବା ଚାବି ରେକର୍ଡ ରୁମକୁ ଆସିଲା କିପରି, ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ ଜେନାଙ୍କୁ କେଉଁ ପରିସ୍ଥିତିରେ ବଦଳି କରାଗଲା ତାହା ରାଜ୍ୟସରକାର ପ୍ରଥମେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି ।

ଗତକାଲି ବିଜେପି ତରଫରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀଦଳ ସିଂହ ଦ୍ୱାରା ଥାନାରେ ଏତଲା ଦେବା ପାଇଁ ଯାଇଥିଲେ ମଧ୍ୟ ୪ ଘଂଟାର ଅପେକ୍ଷା ପରେ ଥାନା ଅଧିକାରୀ ଏତଲା ରଖିଥିଲେ ମଧ୍ୟ ତୃତୀୟମହଲା ଚାପରେ ରେଜିଷ୍ଟର କରିନଥିଲେ । ରାଜ୍ୟସରକାର ଖଣି, ଚିଟଫଣ୍ଡମାଧ୍ୟମରେ ରାଜ୍ୟବାସୀଙ୍କୁ ଲୁଟି ସାରିବା ପରେ ଏବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତି ଲୁଟିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି । ଓଡିଶା ପୋଲିସ କେବଳ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡିର ସୁରକ୍ଷା ପାଇଁ ନିୟୋଜିତ । ଯେତେ ଚେଷ୍ଟା କଲେ ବି ନବୀନ ସରକାର ତାଙ୍କ ଦାୟୀତ୍ୱକୁ ଏଡାଇ ଦେଇ ପରିବେନି । ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ ରତ୍ନଭଣ୍ଡାର ସଂପୂର୍ଣ୍ଣ ଅସୁରକ୍ଷିତ ବୋଲି ପ୍ରମାଣିତ ହୋଇଛି । ଆଗାମୀ ଦିନରେ ଏହାର ଉତର ରାଜ୍ୟବାସୀ ଦେବେ ବୋଲି ଶ୍ରୀ ଆଚାର୍ଯ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ଏବଂ ବିଜେପି ନେତା ତଥା ଅବସରପ୍ରାପ୍ତ ପ୍ରଶାସକ ଅଶୋକ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।


ସେୟାର କରନ୍ତୁ