ମହଙ୍ଗା ପଡିଲା ନକଲି ଆଇଏଏସ ଅଫିସର ପରିଚୟ…ଚିଟଫଣ୍ଡ ଠକେଇରେ ସଂପୃକ୍ତ ଅଭିଯୁକ୍ତ ଗିରଫ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଆଇଏଏସ ଅଫିସର ପରିଚୟ ଦେଇ ବିବାହ କରିବା ଜଣେ ବ୍ୟକ୍ତିଙ୍କୁ ଅଡୁଆରେ ପକାଇଛି । କାରଣ ମାଲକାନଗିରି ପୁଲିସ ରୁଜୁ କରିଥିବା ଏକ ଚିଟଫଣ୍ଡ ମାମଲାରେ ମୟୁରଭଞ୍ଜ ଜିଲ୍ଲା ଖୁଂଟା ପୁଲିସ ଉକ୍ତ ବ୍ୟକ୍ତି ଜଣଙ୍କୁ ଗତ ସୋମବାର ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲାର ରଜତ ପଣ୍ଡା । ବିବାହ ପରେ ସେ ଲିଙ୍ଗରାଜ ପଣ୍ଡା ନାଁରେ ପରିଚୟ ଦେଇ ରହି ଆସୁଥିଲେ ।

ଖାଲି ଏତିକି ନୁହେଁ ଗିରଫଦାରିରୁ ବଞ୍ଚିବା ପାଇଁ ସେ ମୟୁରଭଞ୍ଜ ଦାମୋଦରପୁରରେ ଦ୍ୱତୀୟ ବିବାହ କରିଥିଲେ । ସବୁଠୁ ବଡ଼ କଥା ହେଉଛି, ଅଭିଯୁକ୍ତ ଜଣଙ୍କ ଜଣେ ଆଇଏଏସ ଅଫିସର ଥିବା ଝିଅଘର ଲୋକଙ୍କୁ ମିଛ କହିଥିଲେ ଏବଂ ସେ ମାଲକାନଗିରିରେ ଉପଜିଲ୍ଲାପାଳ ଥିବା କହିଥିଲେ । ମିଛ ତେବେ ଧରାପଡିଲା ଯେବେ ସେ ବିବାହ ପରଠାରୁ ଚାକିରିକୁ ନଯାଇ ଶ୍ୱଶୁର ଘରେ ରହିବାରୁ ଗାଁ ଲୋକଙ୍କ ସନ୍ଦେହ ବଢ଼ିବାରେ ଲାଗିଥିଲା । ଚିଟଫଣ୍ଡ ଠକେଇ ମାମଲାରେ ପୁଲିସ ଖୋଜୁ ଖୋଜୁ ଅଭିଯୁକ୍ତ ଜଣକୁ ଧରିବା ସହ ତାର ଅସଲି ପରିଚୟ ପଦାକୁ ଆଣିଥିଲା ।

ସୂଚନା ମୁତାବକ, ପୁର୍ବରୁ ୨୦୧୫ ମସିହାରେ ସିସୋର ଚିଟଫଣ୍ଡ ମାମଲାରେ ଗିରଫ ହୋଇ ରଜତ ଝାରପଡ଼ା ଜେଲରେ ଥିଲେ । ଏପରିକି ସେ ଭୁବନେଶ୍ୱରରେ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରେ ପ୍ରଥମ ବିବାହ କରିଥିବା ଜଣାପଡିଛି । ଚିଟଫଣ୍ଡ ଠକେଇ ମାମଲାରେ ରଜତ ଛନ୍ଦି ହୋଇଥିବା ବେଳେ ତାଙ୍କ ନାଁରେ ମାଲକାନଗିରି ଥାନାରେ ଆଉ ଏକ ମାମଲା ରୁଜୁ ହୋଇଥିଲା । ଯାହା ଖୁଂଟା ପୁଲିସ ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଥିଲା । ଚଢ଼ଉ କରି ସ୍ଥାନୀୟ ପୁଲିସ ରଜତକୁ ଗତକାଲି ଦାମୋଦରପୁରରୁ ଗିରଫ କରିଥିଲା । ନୂଆ ଶ୍ୱଶୁର ଘର ଲୋକେ ରଜତ ନାଁରେ ଅଭିଯୋଗ ଦାୟାର କରିବା ପାଇଁ ମନା କରିବାରୁ ଖୁଂଟା ପୁଲିସ ତାକୁ ମାଲକାନଗିରି ପୁଲିସକୁ ହସ୍ତାନ୍ତର କରିବ ବୋଲି କହିଛି ।


ସେୟାର କରନ୍ତୁ