ଫୁଡ ଜଙ୍କସନ ରେଷ୍ଟୁରାଣ୍ଟରେ ବୋମା ମାଡ଼, ଲୋକେ ଆତଙ୍କିତ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ବାପୁଜୀନଗରରେ ଥିବା ଫୁଡ ଜଙ୍କସନ ରେଷ୍ଟୁରାଣ୍ଟରେ ସୋମବାର ରାତିରେ ବୋମା ମାଡ଼ ହୋଇଛି । ଅଚାନକ ଦୁଇଟି ବୋମା ମାଡ଼ ହେବା ଯୋଗୁ ପୁରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଜୋର ଶବ୍ଦ ହେବାରୁ ରେଷ୍ଟୁରାଣ୍ଟରେ ଖାଉଥିବା ଲୋକେ ଭୟଭିତ ଅବସ୍ଥାରେ ବାହାରକୁ ଦଉଡ଼ି ଆସିଥିଲେ । କ୍ଷଣିକ ଭିତରେ ପୁରା ରେଷ୍ଟୁରାଣ୍ଟ ଧୁଆଁମୟ ହୋଇଯାଇଥିଲା ।

ଖାଲି ଏତିକି ନୁହେଁ ତଳ ମହଲାରେ ବାର ଓ ଉପରେ ମହଲାରେ ଡ୍ୟାନ୍ସ ବାର ଚାଲୁଥିବାରୁ ସଙ୍ଗେ ସଙ୍ଗେ ସେଠାରୁ ବହୁ ଯୁବକ ଓ ଯୁବତୀଙ୍କୁ ବାହାରକୁ ବାହାର କରାଯାଇଥିଲା । ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମା ମାଡ଼ ହୋଇଥିବା ପୁଲିସ ସନ୍ଦେହ କରୁଛି ।

ସୂଚନା ଅନୁଯାୟୀ, ରାତି ପ୍ରାୟ ୯.୪୫ଟା ହେବ । ଏକ ଏକ୍ସୟୁଭି-୫୦୦ ଗାଡି ଫୁଡ ଜଙ୍କସନ ରେଷ୍ଟୁରାଣ୍ଟ ସମ୍ମୁଖରେ ଆସି ପହଞ୍ଚିଥିଲା । କେହି କିଛି ବୁଝିବା ଆଗରୁ ଗାଡିରେ ଥିବା ୪ଜଣ ଯୁବକ ଗୋଟିଏ ପରେ ଗୋଟିଏ ଦୁଇଟି ବୋମା ହୋଟେଲ ଉପରକୁ ଫିଙ୍ଗି ସେଠାରୁ ଚମ୍ପଟ ମାରିଥିଲେ । ଫଳରେ ପୁରା ଏରିଆ ଥରି ଉଠିଥିଲା । ଶବ୍ଦ ଶୁଣି ଲୋକେ ତା ଭିତରୁ ଧାଇଁ ଆସିଥିଲେ । ଏଥିରେ କାହାରି କିଛି କ୍ଷତି ହୋଇନଥିବା ବେଳେ ରେଷ୍ଟୁରାଣ୍ଟର ସାମ୍ନା କାଚ ଦୁଆର ବହୁ ଅଂଶ ଭାଙ୍ଗି ଯାଇଥିବା ଜଣାପଡିଛି । ବୋମା ମାଡ଼ର ପ୍ରକୃତ କାରଣ ଜଣାପଡିନଥିବା ବେଳେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଛି ସେନେଇ ପୁଲିସ ଛାନଭିନ ଜାରି ରଖିଛି ।


ସେୟାର କରନ୍ତୁ