ଭୁବନେଶ୍ୱର : ବିହାର ବିଧାନସଭା ନିର୍ବାଚନରେ ଏନଡ଼ିଏ ମେଣ୍ଟର ଐତିହାସିକ ବିଜୟ ପରେ ଆଜି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରର ବିମାନବନ୍ଦରରେ ଉଚ୍ଛସ୍ୱିତ ଓ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଜନସାଧାରଣ, ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକମାନେ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ କରିଛନ୍ତି ।
ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିହାରରେ ଏନଡ଼ିଏ ମେଣ୍ଟର ଅଭୁତପୂର୍ବ ବିଜୟ ପାଇଁ ବିହାରର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ସାଂଗଠନିକ ଦକ୍ଷତା, ବିହାରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱ ପାଇଁ ଜନସାଧାରଣ ତାଙ୍କୁ ପୁଣି ଥରେ ଆଶୀର୍ବାଦ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବ ଭାରତର ବିକାଶ ପାଇଁ ପୂର୍ବୋଦୟର କଳ୍ପନା କରିଛନ୍ତି । କାରଣ, ପୂର୍ବ ଭାରତର ବିକାଶ ନହେଲେ ଭାରତର ବିକାଶ ହେବ ନାହିଁ । ବିହାରରେ ପୁଣି ଥରେ ଏନଡ଼ିଏ ପାର୍ଟି ସେବାର ଅବସର ପାଇବା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ବଡ଼ ସ୍ୱୀକୃତି । ଆଜି ଦେଶରେ ଏକ କଲ୍ୟାଣକାରୀ ଶାସନ ପ୍ରଣାଳୀ ଚଲାଇଥିବାରୁ ପ୍ରଧାନମନ୍ତ୍ରୀ ଲୋକଙ୍କର ଆସ୍ଥାଭାଜନ ହୋଇପାରିଛନ୍ତି । କଂଗ୍ରେସର ଦେଶକୁ ବିଭାଜନ କରିବାର ଯେଉଁ ନକରାତ୍ମକ ରାଜନୀତି ଅଛି, ଏହାକୁ ଲୋକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି । ଅପରପକ୍ଷରେ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲଖିଆ ବହୁତ ବଡ ବ୍ୟବଧାନରେ ବିଜୟ ହୋଇଥିବାରୁ ଶ୍ରୀ ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ସଙ୍ଗୀତର ଏକ ରଙ୍ଗୀନ ପରିବେଶ ସୃଷ୍ଟି ହୋଇଥିଲା । କଳାକାରମାନେ ପାରମ୍ପରିକ ପୋଷାକରେ ସଜ୍ଜିତ ହୋଇ ଘଣ୍ଟ, ଶଙ୍ଖ ଓ ମୃଦଙ୍ଗର ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରି କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଫୁଲମାଳ, ଉଲ୍ଲାସପୂର୍ଣ୍ଣ ଜୟଧ୍ୱନି ଏବଂ ପଟୁଆରରେ ବିମାନବନ୍ଦର ଅଞ୍ଚଳ ଦୁଲୁକି ଉଠିଥିଲା । ଏହାବ୍ୟତୀତ ଶ୍ରୀ ପ୍ରଧାନ ବିମାନବନ୍ଦରରୁ ସିଧାସଳଖ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ ।