ଦାୟିତ୍ୱବାନ ହେବା ପାଇଁ ମନରେ ଆଧ୍ୟାତ୍ମିକତା ରହିବା ଜରୁରି- ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଜୀବନରେ ଆଧ୍ୟାତ୍ମିକତା ନ ରହିଲେ ଜଣେ ଦାୟିତ୍ୱବାନ ହେବ ନାହିଁ । ମନ ଭିତରେ ସମବେଦନା ତିଆରି ହେବ ନାହିଁ ବୋଲି ରବିବାର ବରୁଣେଇର ପାଦଦେଶରେ ଇସ୍କନ ୟୋଥ୍ ଫୋରମ, ଭୁବନେଶ୍ୱରର ‘ଭକ୍ତିବେଦାନ୍ତ ଇଣ୍ଟରନ୍ୟାସନାଲ ଏକାଡେମୀ ଫର୍ ଆପ୍ଲାଏଡ୍ ସ୍ପିରିଚୁଆଲ୍ ଟେକ୍ନୋଲୋଜି’ର ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାଜ ଭିତରେ ଭଗବତ ସମର୍ପଣ, ଶାନ୍ତି ଏବଂ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭକ୍ତିଭାବ ବଜାୟ ରଖିବା ପାଇଁ ମନ୍ଦିର ଗୁଡିକ ତିଆରି ହୋଇଛି । ଅର୍ଥନୈତିକ ଦିଗ ସହ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଦାୟିତ୍ୱବାନ ହେବାର ଦୁର୍ମୂଲ୍ୟ ବାର୍ତ୍ତା ମଧ୍ୟ ଏହା ମଧ୍ୟରେ ଅନ୍ତର୍ନିହିତ । ହଜାର ହଜାର ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିବା ପୁରୀ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମାଜକୁ ଅନେକ ଶିକ୍ଷା ଦେଉଛି । ଶିକ୍ଷା ସହ ଆଧ୍ୟାତ୍ମିକତା ଓତପ୍ରୋତଃ ଭାବେ ଜଡିତ । ଯଦି ଜ୍ଞାନ ଆହରଣରେ ଆଧ୍ୟାତ୍ମିକତା ରହିବ ନାହିଁ ତେବେ ସେ ଜ୍ଞାନୀ ଲୋକଟି ଶକ୍ତିଶାଳୀ ରାବଣର ସ୍ୱରୂପ ହୋଇପାରେ ।

ମନରେ ଅବସାଦ, ଦୁଃଖ ଓ ଗ୍ଲାନି ଆସିଲେ ଇସ୍କନ କଥା ଆସିଥାଏ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୁକସାକ୍ଷୀ ବରୁଣେଇ ପାହାଡର ପାଦଦେଶରେ ଇସ୍କନ ପକ୍ଷରୁ ନିର୍ମାଣ ହେବାକୁ ଥିବା ଆଧ୍ୟାତ୍ମିକ କେନ୍ଦ୍ରରେ ଯୋଗ, ମେଡିଟେସନ, ବୈଦିକ ଶିକ୍ଷା ତଥା ଅଧ୍ୟାତ୍ମିକତା ମାଧ୍ୟମରେ ଯୁବବର୍ଗଙ୍କ ମାନସିକ ସ୍ୱାସ୍ଥ୍ୟ ଠିକ୍ ରଖିବା ଓ ସଚେତନତା ସୃଷ୍ଟି ପାଇଁ ଯୋଜନା କରିବା ପ୍ରଶଂସନୀୟ । ଏହା ଛାତ୍ର ସମୁଦାୟ ଏବଂ ସମାଜ ପାଇଁ ବେଶ୍ ଲାଭଦାୟକ ହେବ । ଇସ୍କନ ସମାଜ ମାନବ ଜାତିକୁ ଭାବନାତ୍ମକ ଏବଂ ଆଧ୍ୟାତ୍ମିକ ମାର୍ଗଦର୍ଶନ ମାଧ୍ୟମରେ ଦେଉଥିବା ବାର୍ତ୍ତା ସର୍ବୋପରି ଜାରି ରହୁ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ କୃଷ୍ଣ ଭଗବାନଙ୍କ ପାଖରେ ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।


ସେୟାର କରନ୍ତୁ