ବାଜି ରାଉତ ଫୁଟବଲ କପ୍ ଗ୍ରାମାଞ୍ଚଳର ପିଲାମାନଙ୍କୁ ଖେଳିବା ପାଇଁ ପ୍ରେରଣା ଯୋଗାଇବ – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
ସେୟାର କରନ୍ତୁ

ସମ୍ବଲପୁର : ବାଜି ରାଉତ ଫୁଟବଲ କପ୍ ଗ୍ରାମାଞ୍ଚଳର ପିଲାମାନଙ୍କ ମଧ୍ୟରେ ଖେଳୁଆଡ଼ ମନୋବୃତ୍ତି ବଢାଇବା ପାଇଁ ପ୍ରେରଣା ଯୋଗାଇବ । ଏହି ଟୁର୍ଣ୍ଣାମେଣ୍ଟ କ୍ରୀଡ଼ା କ୍ଷେତ୍ରକୁ ଆସିବା ଲାଗି ଯୁବପିଢ଼ିଙ୍କୁ ଅଧିକ ଅନୁପ୍ରାଣିତ କରିବ ବୋଲି ଶନିବାର ସମ୍ବଲପୁରର 4ସି ଷ୍ଟାଡିୟମରେ ‘ଦ୍ୱିତୀୟ ବାଜି ରାଉତ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ -2023’ର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ଆୟୋଜିତ ଦ୍ୱିତୀୟ ବାଜି ରାଉତ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟରେ ହଜାର ହଜାର ଖେଳାଳି ଭାଗ ନେଇଥିଲେ । କମ୍ ବ୍ୟବଧାନ ମଧ୍ୟରେ ଅନେକ ଗୁଡିଏ ଫୁଟବଲ ମ୍ୟାଚ୍ ଖେଳାଯିବା ଖୁସିର ବିଷୟ । ଏହି ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼ରେ ଫୁଟବଲ ଖେଳକୁ ନେଇ ଲୋକମାନଙ୍କ ମଧ୍ୟରେ ଦେଖାଯାଇଥିବା ଉତ୍ସାହ ଅଭୁତପୂର୍ବ । ଗ୍ରାମାଞ୍ଚଳ, ଜନଜାତି ଓ ପଛୁଆ ବର୍ଗର ପିଲା ମାନଙ୍କୁ ଖୋଜି ସେମାନଙ୍କ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ତଥା ସେମାନଙ୍କୁ ବାଜି ରାଉତ ବନାଇବା ଦିଗରେ ବିଶେଷତଃ ଆମେ ଓଡ଼ିଆ ସଂଗଠନର ପ୍ରୟାସ ପ୍ରଶଂସନୀୟ । ଆଜି ଯୁବବର୍ଗଙ୍କୁ ଖେଳୁଆଡ ମାନସିକତାରେ ଆଗକୁ ବଢିବା ଦରକାର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା କ୍ରମେ ଡିସେମ୍ବର 26କୁ ‘ବୀର ବାଲ୍‌ ଦିବସ’ ପାଳନ କରାଯାଉଛି । ଏହାକୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପୁତ୍ର ସାହିବଜାଦା ବାବା ଜୋରାୱର ସିଂ ଜୀ ଏବଂ ବାବା ଫତେହ ସିଂଜୀଙ୍କ ଶହୀଦ ଦିବସ ସ୍ମରଣରେ ପାଳନ କରାଯାଉଛି । ନିକଟରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ବୀର ପୁତ୍ର ଶହୀଦ ବାଜି ରାଉତଙ୍କ ନାଁ କହି ଆମକୁ ଗୌରବାନ୍ୱିତ କରିଥିଲେ । 12 ବର୍ଷର ବାଜି ରାଉତ ବ୍ରିଟିଶଙ୍କ ବିରୋଧରେ ଲଢେଇ କରି ଦେଶ ପାଇଁ ପ୍ରାଣବଳି ଦେଇଥିଲା । ତାଙ୍କ ସ୍ମୃତିରେ ଏହି ଏହି ଟୁର୍ଣ୍ଣାମେଣ୍ଟ ସ୍ୱାଗତଯୋଗ୍ୟ ।

ଆମେ ଓଡ଼ିଆ ଫାଉଣ୍ଡେସନ ଟ୍ରଷ୍ଟ ଓ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା । ଏହି ଅବସରରେ ଶ୍ରୀ ପ୍ରଧାନ ଫାଇନାଲ ମ୍ୟାଚର ବିଜେତା ଢେଙ୍କାନାଳ ଜିଲ୍ଲାର ପପୁଲାର୍ କ୍ଲବ, ନାରଣପୁର ଏବଂ ପ୍ରତିଦ୍ୱନ୍ଦୀ ଟିମ ଦେବଗଡ ଜିଲ୍ଲାର ଶିବଶଙ୍କର କ୍ଲବ, ପୁରୁଣାପାଣିର ଖେଳାଳି ମାନଙ୍କୁ ପୁରସ୍କୃତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଉଭୟ ଟିମ୍ ବହୁତ ଭଲ ଖେଳିଲେ । ଓଡ଼ିଶାର ପିଲା ମାନଙ୍କ ମଧ୍ୟରେ ଖେଳୁଆଡ ମନୋବୃତ୍ତି ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଏହି ଖେଳର ପରମ୍ପରାକୁ ବଜାୟ ରଖାଯାଉ । ଏଥିରେ ସହଯୋଗୀ ହୋଇଥିବା ଯୁବଶକ୍ତି ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ବନ୍ଧୁ ମାନଙ୍କୁ କେନ୍ଦ୍ରମନ୍ତ୍ରୀ ସାଧୁବାଦ ଜଣାଇଥିଲେ ।


ସେୟାର କରନ୍ତୁ