କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ବହୁଯାତ୍ରୀ ମୃତାହତ ଆଶଙ୍କା, ଉଦ୍ଧାରକାର୍ଯ୍ୟ ଜାରି

ଦେଶବିଦେଶ ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ‌ରେଳ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (12841-ଅପ୍‌) ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ଅନେକ ଯାତ୍ରୀ ମୃତାହତ ହୋଇଥିବା ସୂଚନା ମିଳୁଛି । ଏହାସହ ଏହି ଦୁର୍ଘଟଣାରେ ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ମଧ୍ୟ ହୋଇଛନ୍ତି । ଆହତ ଏବଂ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ବାହାନଗା, ସୋର ଓ ବାଲେଶ୍ବର ଡାକ୍ତରଖାନାକୁ ଆମ୍ବୁଲାନ୍ସ ମାଧ୍ୟମରେ ନିଆଯାଉଛି । ସ୍ଥାନୀୟ ଲୋକଙ୍କର ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳକୁ ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ (12841-ଅପ୍‌) ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ଅପରାହ୍ନ ପ୍ରାୟ 7ଟା‌ 20 ମିନିଟ୍‌ରେ ବାହାନଗା ଷ୍ଟେସନ୍‌ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଟେନ୍‌ ଉପରେ ଏହା ଚଢ଼ିଯାଇଥିଲା। ଫଳରେ ଟ୍ରେନ୍‌ର 8ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଛି । ଦୁର୍ଘଟଣା ଅତି ଭୟଙ୍କର ହୋଇଥିବା ବେଳେ ଅନେକ ଯାତ୍ରୀଙ୍କ ଜୀବନ ଯାଇଥିବା ଏବଂ ଶତାଧିକ ଯାତ୍ରୀ ଆହତ ହୋଇଥିବା ଅନୁମାନ କରାଯା‌ଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରେଳବାଇ ପୁଲିସ ସହ ସ୍ଥାନୀୟ ସୋର, ବାହାନଗା ପୁଲିସ ତଥା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ସୂଚନାଯୋଗ୍ୟ, କରମଣ୍ଡଳ ଏକ୍ସପ୍ରେସ୍ ଆଜି ଶାଲିମାର ଷ୍ଟେସନ୍‌ରୁ ଚେନ୍ନାଇ ଅଭିମୁଖେ ଅପରାହ୍ଣ 3ଟା 30ରେ ବାହାରିଥିଲା । ସନ୍ତ୍ରାଗାଛି ଷ୍ଟେସନ୍‌ରୁ ଏହି ଟ୍ରେନ୍‌ 3ଟା 43, ଖଡ଼ଗପୁରରୁ ସନ୍ଧ୍ୟା 5ଟା ଓ ବାଲେଶ୍ବର ଷ୍ଟେସନ୍‌ରୁ ସନ୍ଧ୍ୟା 6ଟା 30ରେ ଛାଡ଼ିଥିଲା । ରାତି ପ୍ରାୟ 7ଟା 20 ବେଳକୁ ଟ୍ରେନ୍‌ଟି ବାହାନଗା ଷ୍ଟେସନ୍‌ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲା।


ସେୟାର କରନ୍ତୁ