ନବ ଦାସଙ୍କ ପରଲୋକରେ ବିଶିଷ୍ଠ ବ୍ୟକ୍ତିଙ୍କ ଶୋକ ବ୍ୟକ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି । ରାଜ୍ୟପାଳ ଟୁଇଟ୍‌ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟୁଇଟରେ କହିଛନ୍ତି, ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡ଼ିଶାର ବିଜେଡି ନେତା ନବ କିଶୋର ଦାସଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଶୋକରେ ମ୍ରିୟମାଣ । ତୃଣମୂଳସ୍ତର ନେତା ଭାବେ ତାଙ୍କ ପ୍ରତି ଲୋକଙ୍କ ଓ ଦଳମତ ନିର୍ବିଶେଷରେ ସମସ୍ତଙ୍କ ଭଲପାଇବା ଓ ସମ୍ମାନ ରହିଛି । ସମଗ୍ର ରାଜ୍ୟ ପାଇଁ ଏହା ଅପୂରଣୀୟ କ୍ଷତି। ସରକାର ଓ ଦଳରେ ତାଙ୍କ ଭୂମିକା ସର୍ବଦା ସ୍ମରଣୀୟ ରହିବ । ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗରେ ସେ ଅନେକ ଅଭିନବ କାର୍ଯ୍ୟ କରିଛନ୍ତି । ଏଥିସହ ଜଣେ ନେତା ଭାବେ ବିଜୁ ଜନତା ଦଳକୁ ଆହୁରି ମଜବୁତ କରିବାରେ ତାଙ୍କର ବିରାଟ ଯୋଗଦାନ ରହିଛି । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି କହିଛନ୍ତି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ତାଙ୍କୁ ଗୁଳିମାଡ ପରେ ହସ୍ପିଟାଲରେ ସେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ସହ ଯେଉଁ ଭଳି ଘଟଣା ଘଟିଛି, ଏହା ମୋତେ ବ୍ୟଥିତ କରିଛି । ଜନପ୍ରତିନିଧି ଭାବରେ ତାଙ୍କର କାର୍ଯ୍ୟ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।


ସେୟାର କରନ୍ତୁ