ଉପନିର୍ବାଚନ: ଧାମନଗର ଆସନରୁ ବିଜୟୀ ହେଲା ବିଜେପି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ଵର: ଗତ 3 ତାରିଖରେ ଅନୁଷ୍ଠିତ ହୋଇଥିବା ଧାମନଗର ଉପନିର୍ବାଚନର ଫଳାଫଳ ଆଜି ଆସିଅଛି । ଏହାର ଗଣତି ସକାଳ 8ଟାରୁ ଆରମ୍ଭ ହୋଇଥିଲା । ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେପି ସପକ୍ଷରେ ଯିବା ଦେଖିବାକୁ ମିଳିଥିଲା । ଶେଷରେ ବିଜେପି ଏହି ଉପନିର୍ବାଚନରେ ବିଜୟର ବାନା ଉଡ଼ାଇଥିଲା ।

କହିବାକୁ ଗଲେ, ଦୀର୍ଘ ଦୁଇ ଦଶନ୍ଧି ପରେ ଓଡିଶା ରାଜନୀତିରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର । ପ୍ରଥମ ଥର ପାଇଁ ଉପ ନିର୍ବାଚନରେ ହାରିଛି ଶାସକ ବିଜୁ ଜନତା ଦଳ । ବହୁ ଚର୍ଚ୍ଚିତ ଭଦ୍ରକ ଜିଲ୍ଲାର ଧାମନଗର ଉପ ନିର୍ବାଚନରେ ବାଜି ମାରିଛି ବିଜେପି । ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସ୍ଥିତପଜ୍ଞ ସୂରଜ ବିଜୟ ହାସଲ କରିଛନ୍ତି । ସେ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ 9,881 ଭୋଟ୍‌ରେ ପରାସ୍ତ କରିଛନ୍ତି ।

ତେବେ ସୂର୍ଯ୍ୟବଂଶୀ ସୂରଜଙ୍କୁ 80,351 ଭୋଟ୍ ମିଳିଥିବା ବେଳେ ଅବନ୍ତୀଙ୍କୁ ମିଳିଛି 70,470 ଭୋଟ୍ ମିଳିଛି । ଏଠାରେ ଟର୍ଣ୍ଣିଂ ସାବ୍ୟସ୍ତ ହୋଇଛନ୍ତି ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ । ସେ 8,153ଭୋଟ୍ ହାତେଇଛନ୍ତି । ଯାହା ବିଜେଡି ପାଇଁ ମହଙ୍ଗା ପଡିଛି । କିନ୍ତୁ ଚତୁର୍ଥ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ 3,561 ଭୋଟ୍ ମିଳିଛି ।

ଉଲ୍ଲେଖନୀୟ, ନିକଟ ଅତୀତରେ ଯେତେ ସବୁ ଉପ ନିର୍ବାଚନ ହୋଇଛି ସବୁଥିରେ ବିଜେଡି ଜିତିବାରେ ସଫଳ ହୋଇଥିଲା । ପ୍ରଥମ ଥର ଶାସକ ଦଳକୁ ପରାଜୟର ସ୍ଵାଦ ଚାଖିବାକୁ ପଡିଛି । 2019 ବିଧାନସଭାରେ ସୂର୍ଯ୍ୟଙ୍କ ବାପା ବିଷ୍ଣୁ ସେଠୀ ଧାମନଗର ଆସନରୁ ବିଜୟ ହାସଲ କରିଥିଲେ ।

ସୂଚନା ଥାଉକି, ଏହି ନିର୍ବାଚନ ମଣ୍ଡଳୀରେ 2019 ସାଧାରଣ ନିର୍ବାଚନରେ ବିଷ୍ଣୁ ସେଠୀଙ୍କୁ 80,111 ଖଣ୍ଡ ଭୋଟ୍‌ ମିଳିଥିଲା । ନିକଟତମ ପ୍ରାର୍ଥୀ ରାଜେନ୍ଦ୍ର ଦାସ (ବିଜେଡି) 75,486 ଖଣ୍ଡ ଭୋଟ ମିଳିଥିଲା । ବିଷ୍ଣୁ ସେଠୀ 4625 ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ ।


ସେୟାର କରନ୍ତୁ