ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଳଡିହା ଅଭୟାରଣ୍ୟ

ରାଜ୍ୟ
ସେୟାର କରନ୍ତୁ

ନୀଳଗିରି : ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଳଡିହା ଅଭୟାରଣ୍ୟ । ପର୍ଯ୍ୟଟକମାନେ ଏଠାକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବା ସହ ବିଭିନ୍ନ ପ୍ରକାର ପଶୁପକ୍ଷୀ ଦେଖିବାର ସୁଯୋଗ ପାଇବେ । ଏନେଇ ବନ ବିଭାଗର ବ୍ୟାପକ ପ୍ରାକ ପ୍ରସ୍ତୁତି କରିସାରିଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି କୁଳଡିହା ଅଭୟାରଣ୍ୟ 772.75 ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଅଟେ ।

ତେବେ ଏଠି ଦେଶୀ ବିଦେଶୀ ପକ୍ଷୀ ସମେତ ସମ୍ବର,ଗୁରାଣ୍ଡି, କୁଟାରୀ, ହରିଣ, ମହିସି, ବାଘ, ଭାଲୁ,ହାତୀ ସମେତ ବହୁ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି । ଚଳିତ ବର୍ଷ ନୀଳଗାଈ ମୁଖ୍ୟ ଆକର୍ଷଣ ପାଲଟିବ । ପ୍ରଥମଥର ପାଇଁ ଏହା କୂଳଡିହା ଭିତରେ ଦେଖିବାକୁ ମିଳିଛି। ପ୍ରତ୍ୟେକ ବର୍ଷଭଳି ଆଜିଠାରୁ ଜୁନ 15 ତାରିଖ ପର୍ଯ୍ୟନ୍ତ ଅଭୟାରଣ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ । ଗୋହିରାଭୋଳ ନେଚର୍ସକ୍ୟାମ୍ପ ରେ ରାତ୍ରି ରହଣି ପାଇଁ ତମ୍ବୁଘରର ଵ୍ୟଵସ୍ଥା କରାଯାଇ ଥିବା ବେଳେ ବୋଟିଂର ଵ୍ୟଵସ୍ଥା କରାଯାଇଛି ।

କୁଲଡ଼ିହା ଅଭୟାରଣ୍ୟ ଭିତରକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ଟିକଟ୍‌ କରିବାକୁ ପଡ଼ିବ । ତେବେ ଏହି ଟିକଟ୍‌ ଅନ୍‌ଲାଇନ୍‌ କିମ୍ବା ସିଧାସଳଖ ନୀଳଗିରି ବନ କାର୍ଯ୍ୟାଳୟରେ କରାଯାଇପାରିବ । ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ କେବଳ ଚାରିଚକିଆ ଗାଡ଼ିରେ ହିଁ ଯାଇପାରିବେ। ଗାଇଡ୍‌ଙ୍କ ବ୍ୟବସ୍ଥା ମଧ୍ୟ ରହିଛି । ଚାହିଁଲେ ସାଙ୍ଗରେ ନେଇପାରିବେ । ମାଂସକୁ ଛାଡ଼ି ଅନ୍ୟ ଖାଦ୍ୟ ସାମଗ୍ରୀ ଓ ପାଣି ଅଭୟାରଣ୍ୟ ଭିତରକୁ ନିଆଯାଇପାରିବ । ଅଭୟାରଣ୍ୟ ଭିତରେ ଖାଦ୍ୟ ମିଳିବ ନାହିଁ । ତେବେ ବିଶ୍ରାମ ପାଇଁ ବିଟ୍‌ ହାଉସ୍‌ ଏବଂ ସେଠାରେ ପିଇବା ପାଣି ସୁବିଧା ରହିଛି ।

ତେବେ ସାପବଣିଆରେ ସାପ, ଭାଲୁବସାରେ ଭାଲୁ ସହ ବଜ୍ରକାପ୍ତା ସହ ବିଭିନ୍ନ ସ୍ଥାନରେ ନୀଳଗାଈ, ବଳିଆ କୁକୁର, ବେଲରା ମୂଷା, ଠେକୁଆ, କୁଟରା, ଗୟଳ, ମାଙ୍କଡ଼, ବଣ ବିଲେଇ, ବଣ କୁକୁଡ଼ା, ସମ୍ବର, ବାର୍‌ହା, ହରିଣ ଆଦି ବନ୍ୟଜନ୍ତୁ ଦେଖିପାରିବେ ପର୍ଯ୍ୟଟକ । ସେହିପରି କୁଲଡ଼ିହା ଅଭୟାରଣ୍ୟରେ 250ରୁ ଅଧିକ ପ୍ରଜାତିର ପକ୍ଷୀମାନଙ୍କୁ ଦେଖିବାକୁ ମିଳିବ ।


ସେୟାର କରନ୍ତୁ