ଅଟୋକୁ ଧକା ଦେଲା କୋଇଲା ବୋଝେଇ ଟ୍ରକ, ଘଟଣା ସ୍ଥଳରେ 5 ମୃତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ସକାଳ ଭୋର ସମୟରେ 53 ନଂ ଜାତୀୟ ରାଜପଥ ମୁକ୍ତାପସି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଅଛି । ଯାହା ଫଳରେ ଘଟଣା ସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଅଛି । କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା 53 ନଂ ଜାତୀୟ ରାଜପଥ ମୁକ୍ତାପଶି ଗାଁ ନିକଟରେ ଏକ ଅଟୋକୁ ଧକା ଦେଇଛି କୋଇଲା ବୋଝେଇ ଟ୍ରକ । ଯାହା ଫଳରେ ଘଟଣା ସ୍ଥଳରେ ଜଣେ ନାବାଳକ ସମେତ 5 ଜଣଙ୍କର ମୃତ୍ୟୁ ହୋଇଅଛି । ତେବେ ସମସ୍ତ ମୃତକମାନେ କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମର ବୋଲି ଜଣାପଡିଛି । ମୃତକମାନଙ୍କ ମଧ୍ୟରେ ଅଙ୍କୁର ସାମଲ ,ନାବାଳକ କାଳିଆ ସାମଲ, ଆଦିକନ୍ଦ ସାମଲ, ପହଲି ସାମଲ ଏବଂ ଅନନ୍ତ ସାମଲ (ବଣ୍ଟି) ରହିଛନ୍ତି ।

ବାସ୍ତବରେ, ଏହି 5 ଜଣ ଏକ ଅଟୋ (OD-06 F-0825)ରେ ମୁକ୍ତାପଶି ଗ୍ରାମକୁ ଟୋଲ ପେସେଇବା ପାଇଁ କାମାକ୍ଷାନଗର ପଟରୁ ଯାଉଥିବା ବେଳେ, ମୁକ୍ତାପଶି ଗାଁ ପୂର୍ବରୁ ତାଳଚେର ପଟୁ ଏକ କୋଇଲା ବୋଝେଇ ଟ୍ରକ (OD-05 H-0825) ସାମ୍ନାପଟୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ଏହି 5ଜଣଙ୍କର ମୃତ୍ୟୁ ହୋଇ ଥିଲା । ତେବେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ରହିଥିବା କଥା ଜଣାପଡିଛି । ସେପଟେ ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସ, ଆମ୍ବୁଲାନ୍ସ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତେବେ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତା ଉପରେ ଅଧିକ ତଦନ୍ତ ଜାରି ରଖିଛି ।


ସେୟାର କରନ୍ତୁ