ପରଜଙ୍ଗ: 11 ଦଫା ଦାବି ପତ୍ର ପ୍ରଦାନ ସହ ବିଧାୟକଙ୍କୁ ଭେଟିଲେ ଡ୍ରାଇଭର ମହାସଂଘ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଆଜି ପରଜଙ୍ଗ ବିଧାୟକ ଡ଼ଃ ନୃସିଂହ ଚରଣ ସାହୁଙ୍କୁ ତାଙ୍କ ବାସଭବନରେ ଭେଟି ଡ୍ରାଇଭର ମହାସଂଘ 11 ଦଫା ଭିତିକ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏଥିରେ ପରଜଙ୍ଗ ଡ୍ରାଇଭର ମହାସଂଘ ସଭାପତି ନରେଶ ଭୁତିଆଙ୍କ ନେତୃତ୍ୱରେ ଉଭୟ ପରଜଙ୍ଗ ଏବଂ କଙ୍କଡାହାଡ ଡ୍ରାଇଭର ମହାସଂଘର ହଜାର ହଜାର ଡ୍ରାଇଭର ଯୋଗ ଦେଇଥିଲେ । ରାଜ୍ୟରେ ମଧ୍ୟ ପ୍ରତେକ ବିଧାନସଭା କ୍ଷେତ୍ରରେ ଏଭଳି ଦାବି ପତ୍ର ନିଜ ନିଜର ବିଧାୟକଙ୍କ ଜରିଆରେ ଡ୍ରାଇଭର ମହାସଂଘ ଦ୍ୱାରା ସରକାରଙ୍କ ଅବଗତି ନିମନ୍ତେ ଦିଆଯାଉଅଛି ।

ସୂଚନା ମୁତାବକ, ପୂର୍ବରୁ ଡ୍ରାଇଭର ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଡ୍ରାଇଭର ମାନଙ୍କ ସମସ୍ୟା ଭିତିକ 11 ଗୋଟି ଦାବି ଉପସ୍ଥାପନ କରାଯାଇଥିଲା । ତେବେ ଏହାର କୌଣସି ଉତ୍ତର ନାସିବାରୁ ବିଗତ ଦିନରେ ସମ୍ବଲପୁର ଠାରୁ ଏକ ପଦଯାତ୍ରା ରାଲି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିବାସରେ ଏହି ସମସ୍ୟା ଗୁଡିକୁ ଅବଗତ କରାଯାଇଥିଲା । ସେମାନଙ୍କର କହିବା ଅନୁଯାୟୀ, ସେମାନଙ୍କର ଏହି ସମସ୍ୟା ଗୁଡିକ ଖୁବ ଶୀଘ୍ର ପୂରଣ କରିବା ପାଇଁ ପ୍ରତିଶୃତି ଦିଆଯାଇଥିଲା । ସେମାନେ ଦୀର୍ଘ ଦିନ ଅପେକ୍ଷା କଲାପରେ ମଧ୍ୟ ସେମାନଙ୍କର କୌଣସି ସମସ୍ୟା ଶୁଣାଯାଇନଥିଲା । ଯାହା ଫଳରେ ସେମାନେ ବାଧ୍ୟ ହୋଇ ଓଡ଼ିଶାର ସମସ୍ତ ଡ୍ରାଇଭର ଏକତ୍ରିତ ହୋଇ ଗତ 18 ଏପ୍ରିଲ 2022ରେ ଏକ ବିଶାଳ ରାଲି ସହ ମୁଖ୍ୟମନ୍ତ୍ରୀଙ୍କ ନିବାସ ସମ୍ମୁଖରେ ଧାରଣାରେ ବସି ଏହି ସମସ୍ୟା ଗୁଡିକୁ ଅବଗତ କରାଇଥିଲେ । ତେବେ ଆଉ ଥରେ ପୁଣି ସରକାର 3 ମାସ ଭିତରେ ପୂରଣ କରିବାର ପ୍ରତିଶୃତି ଦେଇଥିଲେ ବୋଲି ଡ୍ରାଇଭର ମହାସଂଘ କୁହନ୍ତି । ହେଲେ ଆଜକୁ ପ୍ରାୟ ଦୁଇ ମାସ ହୋଇ ଗଲାଣି, କିନ୍ତୁ ଆମ୍ଭର ଦାବି ଗୁଡିକ ପୂରଣ ହେଉଛି କି ନାହିଁ, ଏ ସମ୍ପର୍କରେ କୌଣସି ଖବର ଏଯାଏ ଆମେ ପାଇପାରିଲୁ ନାହିଁ । ତେଣୁ ସେମାନେ ସଂଘର ନିଷ୍ପତି ଅନୁଯାୟୀ ଏବେ ରାଜ୍ୟର ପ୍ରତେକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ପାଖରେ ଏ ଦାବି ଉପସ୍ଥାପନ କରୁଅଛନ୍ତି । ଯାହାକି ସରକାରଙ୍କ ନିକଟରେ ଉପସ୍ଥାପନ ହେବ ଏବଂ ଆଗାମୀ ବିଧାନସଭା ଅଧିବେଶନରେ ଉପସ୍ଥାପିତ ହେବ ।

ପରଜଙ୍ଗ ଡ୍ରାଇଭର ମହାସଂଘର ସଭାପତି ନରେଶ ଭୁତିଆଙ୍କ କହିବା ଅନୁଯାୟୀ, ଆମେ ଆଜି ପରଜଙ୍ଗ ବିଧାୟକଙ୍କ ନିକଟରେ ଆମର ଦାବି ପତ୍ର ପ୍ରଦାନ କରିଅଛୁ । କାହିଁକି ନାଁ ଆମର ବିଗତ ଦିନ ମାନଙ୍କରେ ଆମେ ଆମର ଦାବିକୁ ନେଇ ପଦଯାତ୍ରା କରିଛୁ, ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ଯାଇଛୁ, ହେଲେ ପ୍ରତିଶୃତି ପାଇଥିଲେ ମଧ୍ୟ ଏ ଯାଏ ଆମକୁ ଏହାର କୌଣସି ସଫଳତା ମିଳିପାରିନାହିଁ । ତେଣୁ ଆମେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାରା ରାଜ୍ୟରେ ପ୍ରତେକ ବିଧାୟକମାନଙ୍କୁ ଆମର ସମସ୍ୟାର ଅବଗତି ନିମନ୍ତେ ନିଜ ନିଜର ବିଧାୟକଙ୍କ ପାଖରେ 11 ଦଫା ଦାବି ପତ୍ର ଦେଇଅଛୁ । ଯାହାକି ବିଧାୟକଙ୍କ ଜରିଆରେ ପୁଣି ଥରେ ସରକାରଙ୍କ ପାଖରେ ଅବଗତି ହେବା ସହ ଏହି ସମସ୍ୟାମାନ ବିଧାୟକମାନଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପିତ ହୋଇପାରିବ । ଏହାପରେ ପ୍ରତିଶୃତି ମୁତାବକ ଯଦି ଆମ୍ଭ ଡ୍ରାଇଭର ସମାଜର ଉର୍ନତି କଥା ସରକାର ନ ଶୁଣନ୍ତି କିମ୍ବା ଆମର ସମସ୍ୟାର ସୁଧାର ନ ଆଣନ୍ତି, ତେବେ ଆମେ ଆଗକୁ ଆନ୍ଦୋଳନ ଜାରି ରଖିବା ସହ ସ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିବୁ ବୋଲି ସଂଘ ତରଫରୁ କୁହାଯାଇଛି ।


ସେୟାର କରନ୍ତୁ