କରୋନାର ନୂଆ ଭାରିଏଣ୍ଟ XE ପ୍ରତି ରୁହନ୍ତୁ ସାବଧାନ, ଆସନ୍ତୁ ଜାଣିବା ସଂକ୍ରମଣର ଲକ୍ଷଣ କ’ଣ?

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ବିଶ୍ୱ ଏବେ ମଧ୍ୟ କରୋନା ଭାଇରସ ମହାମାରୀରର ଚପେଟରେ ରହିଅଛି, ହଁ ଏହା ଅନେକ ଜାଗାରେ ଟିକେ ଆସ୍ୱସ୍ଥିରେ ରହିଅଛି । ସମ୍ପୂର୍ଣ୍ଣ ବିଶ୍ୱ ପୂର୍ବ 2 ବର୍ଷରୁ ଅଧିକ କାଳ ହେବ ମହାମାରୀ ସହ ସଂଘର୍ଷ କରୁଛି । ଏଥିରେ ସମୟେ ସମୟେ ସାମ୍ନାକୁ ଆସୁଥିବା କରୋନାର ନୂଆ ନୂଆ ଭାରିଏଣ୍ଟ ଚିନ୍ତାର କାରଣ ପାଲଟୁଅଛି । ନିକଟରେ କରୋନାର ଏକ ଭାରିଏଣ୍ଟ ଓମିକ୍ରନ ଦେଶ ଦୁନିଆରେ ଚହଳ ପକାଇଥିଲା । ତେବେ ଓମିକ୍ରନ ଏତେମାତ୍ରାରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିନଥିଲା। ଲୋକେ ଘରେ ରହି ସୁସ୍ଥ ହୋଇଯାଇଛନ୍ତି ।

ତେବେ ଏବେ ପୁଣି କରୋନାର ଏକ ଭାରିଏଣ୍ଟକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାବ୍ୟକ୍ତ କରିଅଛି । କରୋନାର ନୂଆ ଭାରିଏଣ୍ଟ BA.2 ଯାହାକୁ ଏକ୍ସଇ ଭାରିଏଣ୍ଟ ମଧ୍ୟ କୁହାଯାଉଛି । ଏହାକୁ ନେଇ ଏବେ ସ୍ୱାସ୍ଥ୍ୟ ବିଭାଗର ନିଦ ହଜି ଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭୂତାଣୁର ନୂଆ ଭାରିଏଣ୍ଟ ସମ୍ପର୍କରେ ସୂଚିତ କରିସାରିଥିବା ବେଳେ ପ୍ରଥମ କେସ ମୁମ୍ବାଇରେ ଠାବ ହୋଇଛି । ତେବେ ଭୂତାଣୁର ଭୟାବହତା ନେଇ ସ୍ୱାସ୍ଥ୍ୟ ବିଭାଗ ଏପର୍ଯ୍ୟନ୍ତ ସଠିକ ଭାବେ ନିଶ୍ଚିତ ହୋଇପାରିନଥିବାରୁ ଏ ବାବଦେ ସତର୍କତା ଜାରି କରି ନାହାନ୍ତି ।

ତେବେ ମୁମ୍ବାଇ ପୂର୍ବରୁ ବ୍ରିଟେନରେ ଭୂତାଣୁର ଏହି ପ୍ରକାର ପ୍ରସରିବାର ସୂଚନା ମିଳିଥିଲା। ତଥ୍ୟ ଅନୁସାରେ ଓମିକ୍ରନର ସବ ଭାରିଏଣ୍ଟ BA.2 ଠାରୁ ମଧ୍ୟ ଏହା 10 ପ୍ରତିଶତ ଅଧିକ ସଂକ୍ରାମକ । ତେବେ ଏହା କେତେ ପ୍ରଭାବି ହେବ ଓ ଏହାର ଦୁସ୍ପରିଣାମ କିପରି ରହିବ ସେ ବାବଦେ ଏବେଠୁ କିଛି କହିବା ସମ୍ଭବ ହେଉ ନାହିଁ । ଏହି କରୋନାର ଲକ୍ଷଣ ଅଲଗା ଅଲଗା ବ୍ୟକ୍ତିଙ୍କଠାରେ ଅଲଗା ପ୍ରକାରର ତେବେ ଏହାର କେତେକ ମୂଳ ଲକ୍ଷଣ ସମ୍ପର୍କରେ ଆପଣ ଜାଣି ରଖିବା ନିହାତି ଦରକାର ।

ଏକ୍ସଇର ଲକ୍ଷଣ ମଧ୍ୟରେ ସଂକ୍ରମିତ ଘାବରେଇବା, ଜ୍ୱର, ହାଇପୋକ୍ସିଆ, ନିଦ ଅଥବା ବେହୋସରେ ଥାଇ ବ୍ୟକ୍ତି କଥାବାର୍ତ୍ତା କରିବା, ବ୍ରେନ ଫଗ, ମାନସିକ ଭ୍ରମ, ଭୋକାଲ କର୍ଡ ନ୍ୟୁରୋପ୍ୟାଥି, ଉଚ୍ଚ ହୃଦସ୍ପନ୍ଦନ ଓ ତ୍ୱଚାର ରଙ୍ଗ ବଦଳିଆ ଆଦି ଲକ୍ଷଣ ଦେଖାଯାଉଛି । ଏହା ଛଡା ଲଗାତାର ଜ୍ୱର ଓ କାସ ଲାଗି ରହିବା ମଧ୍ୟ ଏକ କାରଣ ହୋଇପାରେ । ଏଣୁ ଏପରି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ତୁରନ୍ତ ପରୀକ୍ଷଣ କରାଇ ନେବା ଜରୁରି ବୋଲି କୁହାଯାଇଛି ।

ଏହି ସବୁ ଲକ୍ଷଣ ଜେଡଓଇ କୋଭିଡ ଟ୍ରାକର ଆପ୍‌ ଆଧାରରେ କୁହାଯାଇଛି । ଯଦି ଏଥିରୁ କୌଣସି ଗୋଟିଏ ବି ଲକ୍ଷଣ ଆପଣଙ୍କଠାରେ ଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ବିଶ୍ୱରେ କରୋନା ବେଶ୍ ତୀବ୍ର ବ୍ୟାପୁଛି । ନୂଆ ଏକ୍ସଇ ଭାରିଏଣ୍ଟର ନମୁନା ପ୍ରଥମେ ଲଣ୍ଡନରେ ଠାବ ହୋଇଥିଲା । ଭାରତର ମୁମ୍ବାଇରେ ମଧ୍ୟ କିଛି କେସ୍ ଇତିମଧ୍ୟରେ ମିଳିଛି । ନୂଆ ଭାରିଏଣ୍ଟ ତୀବ୍ର ବ୍ୟାପୁଥିବାରୁ ଏଥିପ୍ରତି ସତର୍କ ରହିବା ଜରୁରି ବୋଲି କୁହାଯାଇଛି ।


ସେୟାର କରନ୍ତୁ