CWC ରେ ପୁଣି ଉଠିଲା କଂଗ୍ରେସ ସଭାପତି ହେବାର ଦାବି, ତେବେ ରାହୁଲ ଗାନ୍ଧୀ କହିଲେ- କରିବି ବିଚାର

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ କଂଗ୍ରେସ ୱର୍କିଙ୍ଗ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ 21 ଅଗଷ୍ଟ 2022 ରୁ 20 ସେପ୍ଟେମ୍ବର 2022 ମଧ୍ୟରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହି ବୈଠକରେ ରାଜନୈତିକ, ଆର୍ଥିକ ତଥା କୃଷକମାନଙ୍କ ଉପରେ ଆକ୍ରମଣ ସମ୍ପର୍କରେ ତିନୋଟି ସଂକଳ୍ପ ପାରିତ ହୋଇଛି ।

ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରଣଦୀପ ସୂଯ୍ୟୱାଲା କହିଛନ୍ତି ଯେ ସିଡବ୍ଲୁସିର ପ୍ରତ୍ୟେକ ସହକର୍ମୀ ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି । ଏହା ସହ ଆସନ୍ତା ବର୍ଷ ନିର୍ବାଚନ ପର୍ଯ୍ୟନ୍ତ ନେତୃତ୍ୱ ଜାରି ରଖିବାକୁ କଂଗ୍ରେସ ସଭାପତିଙ୍କୁ କହିଛନ୍ତି । ଏଥି ସହ ସେ କହିଛନ୍ତି ଯେ ବହୁତ ସହକର୍ମୀ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନେତୃତ୍ୱ ନେବାକୁ କହିଥିଲେ । କଂଗ୍ରେସ ଅନୁଯାୟୀ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ ଏହା ଉପରେ ବିଚାର କରିବେ ।

2019 ଲୋକସଭା ନିର୍ବାଚନରେ ​​କଂଗ୍ରେସ ଭଲ ପ୍ରଦର୍ଶନ କରିନଥିଲା । ଏହା ପରେ ରାହୁଲ ଗାନ୍ଧୀ ଦୁଇ ବର୍ଷ ପୂର୍ବେ କଂଗ୍ରେସ ସଭାପତି ପଦ ଛାଡିଥିଲେ । ତାଙ୍କ ଇସ୍ତଫା ଦଳକୁ ଏକ ନେତୃତ୍ୱ ସଙ୍କଟରେ ପକାଇ ଦେଇଛି, ଯେଉଁଥିରୁ ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ବାହାରକୁ ବାହାରି ପାରି ନାହିଁ । ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତ୍ରିମ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରୁଛନ୍ତି ।

କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ଆଜିର ବୈଠକରେ ରାହୁଲ ଗାନ୍ଧୀଙ୍କୁ ଦଳର ମୁଖ୍ୟ ଭାବେ ଫେରିବା ପାଇଁ ଅନୁରୋଧ କରାଯାଇଥିଲା ।

କହିବାକି, ଆସନ୍ତା ବର୍ଷ ସେପ୍ଟେମ୍ବର ସୁଦ୍ଧା କଂଗ୍ରେସ ସାଂଗଠନିକ ପରିବର୍ତ୍ତନ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ‘ଜି -23’ର ନେତାମାନେ ମଧ୍ୟ ଦୀର୍ଘ ଦିନ ଧରି ଦଳର ପଦବୀରେ ପରିବର୍ତ୍ତନ ଆଣିବାକୁ ଦାବି କରିଆସୁଛନ୍ତି । ବର୍ତ୍ତମାନ ପାଇଁ ଦଳ ଉତ୍ତରପ୍ରଦେଶ ଏବଂ ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛି ।

କୋଭିଡ -19 ମହାମାରୀ ପରେ କଂଗ୍ରେସ କାର୍ଯ୍ୟ କମିଟିର ଏହା ହେଉଛି ପ୍ରଥମ ସାମୁହିକ ବୈଠକ, ଯେଉଁଥିରେ ସମସ୍ତ ନେତା ଆମନା-ସାମନା ହୋଇ କଥା ହୋଇଛନ୍ତି ।


ସେୟାର କରନ୍ତୁ