ରାଜ୍ୟରେ ଆଂଶିକ ଲକଡାଉନ, ରାତ୍ରି କାଳିନ କର୍ଫ୍ୟୁ ବଳବତ୍ତର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହାରକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆଜି ଆଂଶିକ ଲକଡାଉନକୁ ଆସନ୍ତା ଜୁଲାଇ 16 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି । ସଂକ୍ରମଣ ହାର ଅନୁସାରେ ରାଜ୍ୟର ଜିଲ୍ଲାଗୁଡ଼ିକୁ ଦୁଇଟି ଭାଗରେ ବିଭକ୍ତ କରି କଟକଣା ଲାଗୁ କରାଯାଇଛି ।

ରାଜ୍ୟର 20ଟି ଜିଲ୍ଲାକୁ କ୍ୟାଟେଗୋରୀ –ଏ ରେ ରଖାଯାଇଥିବାବେଳେ ଉପକୂଳବର୍ତ୍ତୀ 10ଟି ଜିଲ୍ଲାକୁ କ୍ୟାଟେଗୋରୀ –ବି ରେ ରଖାଯାଇଛି । କ୍ୟାଟେଗୋରୀ –ଏ ରେ ଥିବା 20ଟି ଜିଲ୍ଲାରେ ପଜିଟିଭିଟି ହାର 5 ପ୍ରତିଶତରୁ କମ ଥିବାରୁ ସେଠାରେ ସପ୍ତାହାନ୍ତ ସଟଡାଉନକୁ ହଟାଇଦିଆଯାଇଥିବାବେଳେ ସକାଳ 6 ଟାରୁ ସଂଧ୍ୟା 6 ଟା ପର୍ୟ୍ୟନ୍ତ କଟକଣାକୁ କୋହଳ କରାଯାଇଛି । ସଂଧ୍ୟା 6ଟାରୁ ସକାଳ 6ଟା ପର୍ୟ୍ୟନ୍ତ ରାତ୍ରୀ କର୍ଫ୍ୟୁ ଲାଗୁ ହେବ । ଏହି 20ଟି ଜିଲ୍ଲାରେ ବସ, ଅଟୋ ଓ ଟାକ୍ସି ପରିବହନକୁ ଅନୁମତି ଦିଆଯାଇଛି । ସାପ୍ତାହିକ ହାଟ ଓ ମାର୍କେଟ ଓ ସେଲୁନ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ମଲ, ବିଉଟି ପାର୍ଲର ବନ୍ଦ ରହିବ ।

ସେହିଭଳି କାଟେଗୋରୀ ‘ବି’ରେ ଥିବା 10ଟି ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍ ପୂର୍ବଭଳି ଜାରି ରହିବ । କେବଳ ଆଉଟ୍‌ଡୋର୍ ସୁଟିଂକୁ ଅନୁମତି ମିଳିଥିବା ବେଳେ ଇନ୍‌ଡୋର୍ ସୁଟିଂ ହେବନାହିଁ । ବସ୍ ଏବଂ ପବ୍ଲିକ୍ ଟ୍ରାନ୍ସପୋର୍ଟ ବନ୍ଦ ରହିବ । ସେଲୁନ ଖୋଲିବାକୁ ଅନୁମତି ଥିବା ବେଳେ ଦିନ 2ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ଦୋକାନବଜାର ଆଦିରେ କୋଭିଡ୍ ନିୟମ ଓ କଟକଣା ପାଳନ ବାଧ୍ୟତାମୂଳକ ଅଟେ ନଚେତ୍ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।


ସେୟାର କରନ୍ତୁ