Coronavirus: ଦେଶରେ ପାଖାପାଖି 50 ହଜାର ନୂତନ ମାମଲା, ଆଜି ଆମେରିକା-ବ୍ରାଜିଲ ଠାରୁ ଅଧିକ ଭାରତରେ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା ସଙ୍କଟ କ୍ରମାଗତ ଭାବେ ବୃଦ୍ଧି ପାଉଛି । କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ 14 ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ 49 ହଜାର 931 ନୂତନ ରୋଗୀ ଦେଖାଦେଇଛନ୍ତି । ଏଥିସହ 708 ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଏହି ମୃତ୍ୟୁ ଆମେରିକା ଏବଂ ବ୍ରାଜିଲ ଅପେକ୍ଷା ଅଧିକ । ଆମେରିକା ଏବଂ ବ୍ରାଜିଲରେ ଗତ 24 ଘଣ୍ଟା ମଧ୍ୟରେ ଯଥାକ୍ରମେ 445 ଏବଂ 556 ମୃତ୍ୟୁ ଘଟିଛି । ତେବେ ମେକ୍ସିକୋ (729) ଅପେକ୍ଷା ଭାରତରେ କମ୍ ମୃତ୍ୟୁ ଘଟିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ ଭାରତରେ ଏପର୍ଯ୍ୟନ୍ତ 14 ଲକ୍ଷ 35 ହଜାର 453 ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ 32771 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 9 ଲକ୍ଷ 17 ହଜାର 568 ଜଣ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଚାରି ଲକ୍ଷ 85 ହଜାର ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

କରୋନା ସଂକ୍ରମଣ ହିସାବରେ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଆମେରିକା ଓ ବ୍ରାଜିଲ ପରେ ଗୋଟିଏ ଦିନରେ ସବୁଠାରୁ ଅଧିକ ମାମଲା ମଧ୍ୟ ଭାରତରେ ଦର୍ଜ କରାଯାଉଛି । କିନ୍ତୁ ଯଦି ଆମେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ (4,371,276), ବ୍ରାଜିଲ (2,419,901)ରେ ଅଛି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଅଛି ।

ଆକ୍ଟିଭ କେସ ମାମଲାରେ ଟପ-5 ରାଜ୍ୟ
ସଂଖ୍ୟା ମୁତାବକ, ଦେଶରେ ବର୍ତ୍ତମାନ ପାଖାପାଖି ପାଞ୍ଚ ଲକ୍ଷ କରୋନା ଆକ୍ଟିଭ ମାମଲା ରହିଛି । ସବୁଠାରୁ ବେଶି ସକ୍ରିୟ ମାମଲା ମହାରାଷ୍ଟ୍ରରେ ଅଛି । ମହାରାଷ୍ଟ୍ରରେ ଏକ ଲକ୍ଷ 40 ହଜାର ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହା ପରେ ଦ୍ୱିତୀୟ ନମ୍ବରରେ ତାମିଲନାଡୁ, ତୃତୀୟ ନମ୍ବରରେ ଦିଲ୍ଲୀ, ଚତୁର୍ଥ ନମ୍ବରରେ ଗୁଜୁରାଟ ଏବଂ ପଞ୍ଚମ ନମ୍ବରରେ ପଶ୍ଚିମବଙ୍ଗ ଅଛି । ଏହି ପାଞ୍ଚ ରାଜ୍ୟରେ ସବୁଠାରୁ ବେଶି ଆକ୍ଟିଭ କେସ ଅଛି । ଆକ୍ଟିଭ କେସ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି, ଅର୍ଥାତ୍ ଭାରତ ହେଉଛି ଏମିତି ତୃତୀୟ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।


ସେୟାର କରନ୍ତୁ