Coronavirus: ପୂର୍ବ ଏକ ଦିନରେ ବ୍ରାଜିଲ ଠାରୁ ବେଶି ମାମଲା ଭାରତରେ ଆସିଲା, ଏପର୍ଯ୍ୟନ୍ତ 10.38 ଲକ୍ଷ ସଂକ୍ରମିତ, 26 ହଜାରରୁ ବେଶି ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଆଜି ଆମେରିକା ପରେ ସବୁଠାରୁ ଅଧିକ କରୋନା ମାମଲା ବ୍ରାଜିଲରେ ନୁହେଁ ଭାରତରେ ଆସିଅଛି । ଦେଶରେ କରୋନା ସଂକ୍ରମଣର ସଂଖ୍ୟା 10 ଲକ୍ଷ ଅତିକ୍ରମ କରିଅଛି । ପୂର୍ବ 24 ଘଣ୍ଟା ମଧ୍ୟରେ ଏହି ସଂକ୍ରମଣର ସବୁଠୁ ବେଶି 34,884 ନୂତନ ମାମଲା ଚିହ୍ନଟ ହୋଇଛନ୍ତି ଏବଂ 671 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବ୍ରାଜିଲରେ 33,959 ଟି ନୂଆ ମାମଲା ରୁଜୁ ହୋଇଛି । ଭାରତରେ ସଂକ୍ରମିତ ମୋଟ ସଂଖ୍ୟା 10,38,716 କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ 358,692 ସକ୍ରିୟ ମାମଲା ଥିବାବେଳେ 653,751 ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏପର୍ଯ୍ୟନ୍ତ 26,273 ଲୋକ ପ୍ରାଣ ହରାଇଛନ୍ତି ।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଆମେରିକା, ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ସବୁଠାରୁ ବେଶି ପ୍ରଭାବିତ ଭାରତ ଅଟେ । କିନ୍ତୁ ଯଦି ଆମେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ସ୍ତିତିରେ ରହିଛି । ଆମେରିକାରେ ଭାରତ ଅପେକ୍ଷା ଅଧିକ ମାମଲା (3,766,605), ବ୍ରାଜିଲ (2,048,697) ଅଛି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି ।

ସକ୍ରିୟ ମାମଲାରେ ଟପ 5 ରାଜ୍ୟ
ସଂଖ୍ୟା ମୁତାବକ ବର୍ତ୍ତମାନ ଦେଶରେ ସାଢ଼େ ତିନି ଲକ୍ଷ କରୋନା ଆକ୍ଟିଭ ମାମଲା ରହିଛି । ସବୁଠାରୁ ବେଶୀ ସକ୍ରିୟ ମାମଲା ମହାରାଷ୍ଟ୍ରରେ ଅଛି । ମହାରାଷ୍ଟ୍ରର ଡାକ୍ତରଖାନାରେ ଏକ ଲକ୍ଷରୁ ଅଧିକ ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ, କର୍ଣ୍ଣାଟକ ତୃତୀୟ ନମ୍ବରରେ, ଚତୁର୍ଥ ସ୍ଥାନରେ ଆନ୍ଧ୍ରପ୍ରଦେଶ ଏବଂ ପଞ୍ଚମ ସ୍ଥାନରେ ଦିଲ୍ଲୀ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି । ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ଅର୍ଥାତ୍ ଭାରତ ହେଉଛି ଚତୁର୍ଥ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।


ସେୟାର କରନ୍ତୁ