କୋରୋନାର ମୁକାବିଲା ପାଇଁ ପ୍ରଭାସ୍ ଦେଲେ 4 କୋଟି

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବିଶ୍ୱ ସମୁଦାୟ ଏବେ କୋରୋନା ଭାଇରସ୍ ସହ ମୁକାବିଲା କରୁଅଛନ୍ତି । ଆମ ଦେଶରେ ମଧ୍ୟ ଜୀବନ ନେଉଥିବା କୋରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ଲଗାତାର ବଢିବାର ଦେଖିବାକୁ ମିଳୁଅଛି । ଏଥି ପାଇଁ ଆମ ଦେଶରେ 21 ଦିନିଆ ଲକଡାଉନ୍ ଚାଲିଅଛି, ଯାହାକି ଏପ୍ରିଲ୍ 14 ପର୍ଯ୍ୟନ୍ତ ଚାଲୁରହିବ । ଏପରି ସ୍ଥିତିରେ ଫିଲ୍ମ ଜଗତ ସହିତ ଜଡ଼ିତ ବ୍ୟକ୍ତିମାନେ ‘କୋରୋନା’ ମୁକାବିଲା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଗୁଡ଼ିକୁ ଆର୍ଥିକ ସହାୟତା ଦେବା ପାଇଁ ଆଗକୁ ଆସୁଛନ୍ତି । ଏହି କ୍ରମରେ ସାମିଲ ହୋଇଛନ୍ତି ସାଉଥ୍ ସୁପରଷ୍ଟାର୍ ପ୍ରଭାସ୍ ।

ପ୍ରଭାସ୍ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ 3 କୋଟି ଟଙ୍କା ଦେଇଥିବାବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ 50 ଲକ୍ଷ ଓ ଆନ୍ଧ୍ରପ୍ରେଦଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 50 ଲକ୍ଷ ଟଙ୍କାର ଦାନ କରିଛନ୍ତି । ପ୍ରଭାସଙ୍କ ପୂର୍ବରୁ ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ୍ ମଧ୍ୟ 1 କୋଟି 25 ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି । ଏମାନଙ୍କ ବ୍ୟତୀତ ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀ 1 କୋଟି ଟଙ୍କା, ଅଭିନେତା ପବନ କଲ୍ୟାଣ 2 କୋଟି, ରାମଚରାଣ 70 ଲକ୍ଷ ଏବଂ ସୁପରଷ୍ଟାର ମହେଶ ବାବୁ 1 କୋଟି ଟଙ୍କା ଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଏଇ ନିକଟରେ ପ୍ରଭାସ୍ ଜର୍ଜିଆରୁ ଫେରିଥିଲେ । ସେଠାରେ ତାଙ୍କ ଫିଲ୍ମ ‘ପ୍ରଭାସ20’ର ଶୁଟିଂ ହେଉଥିଲା । ସେଠାରେ ତାଙ୍କ ସହ ଅଭିନେତ୍ରୀ ପୂଜା ହେଗଡ଼େ ମଧ୍ୟ ଥିଲେ । ତେବେ ବିଦେଶରୁ ଫେରି ଦୁହେଁ ସ୍ୱାସ୍ଥ୍ୟବିଭାଗ ନିର୍ଦ୍ଦେଶାନୁଯାୟୀ ନିଜକୁ 14 ଦିନ ପାଇଁ ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ରଖିଥିଲେ । ଏବେ ଦୁହିଁଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି । ପ୍ରଭାସଙ୍କର ଶେଷ ରିଲିଜ ଫିଲ୍ମ ‘ସାହୋ’ ଥିଲା ଏବଂ ଏହି ଏକ୍ସନ ଫିଲ୍ମକୁ ତାଙ୍କର ଫ୍ୟାନ୍ସମାନେ ଖୁବ ପସନ୍ଦ ମଧ୍ୟ କରିଥିଲେ ।


ସେୟାର କରନ୍ତୁ