ଓଡିଶାକୁ ପୁଣି ମିଳିଲା କୃଷି କର୍ମଣ ପୁରସ୍କାର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଓଡ଼ିଶାକୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ‘କୃଷି କର୍ମଣ’ ପୁରସ୍କାର ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଟୁମକର ଠାରେ ଆୟୋଜିତ ଏକ ସମାରୋହରେ ରାଜ୍ୟ କୃଷିମନ୍ତ୍ରୀ ଡ.ଅରୁଣ ସାହୁଙ୍କୁ ଏହି ‘କୃଷି କର୍ମଣ’ ପୁରସ୍କାର ପ୍ରଦାନ କରିଛନ୍ତି । ରାଜ୍ୟ କୃଷିମନ୍ତ୍ରୀ ଶ୍ରୀ ସାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ପୁରସ୍କାର ସ୍ୱରୂପ ଏକ କୋଟି ଟଙ୍କା ଗ୍ରହଣ କରିଛନ୍ତି ।

ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଖାଦ୍ୟଶସ୍ୟ ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ପାଇଥିବାରୁ 2016-17 ବର୍ଷ ପାଇଁ କେନ୍ଦ୍ର ସରକାର ଏହି ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ନିମନ୍ତ୍ରଣ କ୍ରମେ କୃଷି ମନ୍ତ୍ରୀ ଡ.ସାହୁ ବେଙ୍ଗାଲୁରୁ ଗସ୍ତ କରିଛନ୍ତି ।

ଦେଶରେ ସାମଗ୍ରୀକ କୃଷି ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ଦ୍ଵିତୀୟ ଶ୍ରେଣୀ ରାଜ୍ୟ ଭାବେ ଚୟନ କରିଛନ୍ତି । ଚାଷୀମାନଙ୍କୁ ଉନ୍ନତମାନର ବିହନ ଯୋଗାଣ ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ଆବଶ୍ୟକ ଭିତ୍ତିଭୂମି ଯୋଗାଇବାରେ ସଫଳତା ପ୍ରାପ୍ତି ହେତୁ ଓଡ଼ିଶା ସରକାରଙ୍କୁ କେନ୍ଦ୍ର ସରକାର ଏହି ପୁରସ୍କାର ପ୍ରଦାନ କରିଛନ୍ତି ।


ସେୟାର କରନ୍ତୁ