ରାଷ୍ଟ୍ରପତିଙ୍କ ପାଖ ଲୋକ କହି ଲକ୍ଷାଧିକ ଠକିଲେ, ନକଲି ସାମ୍ବାଦିକ ଗିରଫ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ମୁଁ ରାଷ୍ଟ୍ରପତିଙ୍କ ପାଖ ଲୋକ । ଅନେକ ବେକାର ଯୁବକଙ୍କୁ ଚାକିରି ଦେଇଛି । ତୁମେ କାହିଁକି ଅଟୋ ଚଲାଉଛ । ମୋ କଥା ଶୁଣ ତୁମର ଭାଗ୍ୟ ବଦଳିଯିବ । ଏହିଭଳି ଲୋଭନୀୟ ପ୍ରତିଶ୍ରୁତି ଦେଇ ଜଣେ ଅଟୋ ଚାଳକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ନକଲି ସାମ୍ବାଦିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଠକ ସାମ୍ବାଦିକ ଜଣଙ୍କ ହେଲେ କଟକ ଜିଲ୍ଲା ଚାଉଳିଆଗଞ୍ଜର ପ୍ରସନ୍ନଜିିତ ମହାନ୍ତି ।

ପୁଲିସ ସୂତ୍ରରୁ ଜଣାପଡିଛି ଯେ, ପ୍ରସନ୍ନଜିିତ ଜଣେ ପେଶାଦାର ଠକ । ତା ନାଁରେ ଅନେକ ଅଭିଯୋଗ ରହିଛି । ତଦନ୍ତରେ ଅଭିଯୁକ୍ତଠାରୁ ଠକେଇର ପେଡି ଖୋଲିବ ବୋଲି ସୂଚନା ମିଳିଛି । ଖଣ୍ଡଗିରି ଫାୟାରଷ୍ଟେସନ ନିକଟସ୍ଥ ଭଗବତୀ ବସ୍ତିରେ ରହୁଥିବା ନିରଂଜନ ପ୍ରଧାନ ପେସାରେ ଜଣେ ଅଟୋ ଚାଳକ । ଜାନୁଆରୀ ମାସରେ ନିରଂଜନ କିଛି ଗ୍ରାହକଙ୍କୁ ନେଇ କଟକ ଯାଇଥିଲେ । ଫେରୁଥିବା ବେଳେ ଚାଉଳିଆଗଞ୍ଜରେ ଅଭିଯୁକ୍ତ ପ୍ରସନ୍ନଜିିତ ମହାନ୍ତି ନିରଂଜନଙ୍କ ପାଖକୁ ଆସିଥିଲେ । ନିଜକୁ ଜଣେ ସାମ୍ବାଦିକ ଥିବା କହି ତାଙ୍କୁ ଫସେଇବା ପାଇଁ ଚାଲାଖିରେ କଥା ହୋଇଥିଲେ । ତାଙ୍କୁ କେଉଁଠି ଦେଖିଥିବା କହିଥିଲେ । ଚତୁର ପ୍ରସନ୍ନଜିତଙ୍କ କଥାକୁ ସହଜରେ ବୁଝି ପାରିନଥିଲେ ନିରଂଜନ । କହିଥିଲେ ହଁ ଭାଇ ତୁମେ ଭୁବନେଶ୍ୱରରେ ଦେଖିଥିବ । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା ।

ଖାଲି ଏତିକି ନୁହେଁ, “ତୁମେ ଅଟୋ ଚଲାଇ କେତେ ଟଙ୍କା ପାଉଛ ବୋଲି ଠକ ଜଣଙ୍କ ପ୍ରଶ୍ନ କରିଥିଲେ । ମୋ କଥା ଶୁଣ ରାଷ୍ଟ୍ରପତିଙ୍କ ସହ ମୋର ଭଲ ସଂପର୍କ, ତୁମକୁ ମୁଁ ଚାକିରି କରାଇ ଦେବି ତୁମେ ଆଉ ଅଟୋ ଚଲାଇବ ନାହିଁ ।” ବୋଲି ପ୍ରସନ୍ନଜିତ କହିଥିଲେ । ତାଙ୍କ କଥା ଶୁଣି ନିରଂଜନ ରାଜି ହୋଇଯାଇଥିଲେ ।

ପ୍ରଥମେ ଚାକିରି ବାବଦକୁ ୨ଲକ୍ଷ ଟଙ୍କା ନେବା ପରେ ପ୍ରସନ୍ନଜିତ କହିଥିଲେ ମୁଁ ତୁମ ପାଇଁ ବିମାନରେ ଯିବାଆସିବା ଟିକେଟ କରି ଦଉଛି । ତାମକୁ ମୁଁ ରାଷ୍ଟ୍ରପତିଙ୍କ ସହ ଦେଖା କରାଇଦେବି । ଏମିତି କହି ପ୍ରସନ୍ନଜିତ ପରବର୍ତ୍ତୀ ସମୟରେ ପୁଣି ୧ଲକ୍ଷ ୭୦ ହଜାର ଟଙ୍କା ନେଇଯାଇଥିଲା । ଦୁଇଟି କିସ୍ତିରେ ୩ଲକ୍ଷ ୭୦ ହଜାର ଟଙ୍କା ନେଇ ପାର ହାଇଯାଇଥିଲା ଠକ ଜଣଙ୍କ । ପରେ ନିରଂଜନ ତାଙ୍କୁ ଯୋଗାଯୋଗ କରିଥିଲେ ହେଲେ ପ୍ରସନ୍ନଜିତ ମୋବାଇଲ ଫୋନ ବନ୍ଦ ରହିଥିଲା । ଶେଷରେ ନିରାଶ ହୋଇ ନିରଂଜନ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଯୋଜନା ମୁତାବକ ଚଢ଼ଉ କରି ଅଭିଯୁକ୍ତ ପ୍ରସନ୍ନଜିତକୁ ଗିରଫ କରିଥିଲା ।


ସେୟାର କରନ୍ତୁ