ଅସୁରକ୍ଷିତ ରାଜଧାନୀ: ଏୟାରପୋର୍ଟରୁ ବିଦେଶୀ ପର୍ଯ୍ୟଟକଙ୍କ ଲଗେଜ ଲୁଟ, ପାସପୋର୍ଟ ଫେରାଇବାକୁ ନିବେଦନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦର ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଯାହା କମିଶନରେଟ ପୁଲିସର ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି । ପୁରୀ ଶ୍ରୀମନ୍ଦିର ବୁଲିବାକୁ ଅସିଥିବା ଜଣେ ବିଦେଶୀ ପର୍ଯ୍ୟଟକ ଲୁଟର ଶୀକାର ହୋଇଛନ୍ତି । ତାଙ୍କ ନାଁ ନିରଜ ଚନ୍ଦନ ଓ ଘର ପଞ୍ଜାବ । ସେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ପରିବାର ସହ ଆଫ୍ରିକାର ଘାନାରେ ରୁହନ୍ତି ।

ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ କେହି ଦୁର୍ବୁତ୍ତ ତାଙ୍କ ଲଗେଜ ବ୍ୟାଗ ଲୁଟି ନେଇଥିଲେ । ବ୍ୟାଗରେ ୩ହଜାର ଡଲାର, ୯ଟି ପାସପୋର୍ଟ, ଦାମି ମୋବାଇଲ ଫୋନ ଓ ଅନ୍ୟାନ ସାମଗ୍ରୀ ଥିବା ସେ ଗଣମାଧ୍ୟମ ସମ୍ମୁଖରେ ଜଣାଇଛନ୍ତି । ଘଟଣା ଘଟିବା ପରେ ସେ ଏୟାରଫିଲ୍ଡ ଥାନାରେ ଅଭିଯୋଗ ଦାୟାର କରିଥିବା କହିଛନ୍ତି । ହେଲେ ପୁଲିସ ଘଟଣାରେ ଚୁପ ବସିଥିବା ଅଭିଯୋଗ ହୋଇଛି ।

ଅନ୍ୟପଟରେ ବିଦେଶୀ ପର୍ଯ୍ୟଟକ ନିରଜ ଘଟଣାକୁ ନେଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ପାସପୋର୍ଟ ହଜିଥିବାରୁ ତାଙ୍କର ଫେରିବାର ରାସ୍ତା ମଧ୍ୟ ବନ୍ଦ ହୋଇଯାଇଥିବା ସେ କହିଛନ୍ତି । ଯଦି କୌଣସି ବ୍ୟକ୍ତି ବିଶେଷ ଭୁଲ ବଶତଃ ବ୍ୟାଗ ପାଇଥିବେ ସେ ତାଙ୍କୁ ଫେରାଇବା ପାଇଁ ଅନୁରୋଧ କରିଛନ୍ତି । ଏଥିସହ ବ୍ୟାଗ ଖୋଜି ଦେବା ପାଇଁ ନିରଜ ଏୟାରପୋର୍ଟ କତୃପକ୍ଷ ଓ କମିଶନରେଟ ପୁଲିସର ସାହାଯ୍ୟ ଲୋଡିଛନ୍ତି । ଅପରପକ୍ଷରେ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ପୁଲିସ ବ୍ୟାଗ ଖୋଜିବା ପାଇଁ ତତ୍ପର ହୋଇଉଠିଛି । ଘଟଣାର ତଦନ୍ତ କରିବ ବୋଲି ସ୍ଥାନୀୟ ପୁଲିସ କହିଛି ।


ସେୟାର କରନ୍ତୁ