ବର୍ଷର ଯେକୌଣସି ସମୟରେ ଓଠ ଫାଟିପାରେ । କିନ୍ତୁ ଶୀତ ଋତୁରେ ଏହି ସମସ୍ୟା ଅତି ସାଧାରଣ ହୋଇଯାଏ । ଶୀତ ଆରମ୍ଭ ହେବା ସହିତ ଲୋକେ ପ୍ରତିଦିନ ଅନେକ ଚର୍ମ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଶୀତ ଦିନରେ ସବୁଠାରୁ ସାଧାରଣ ସମସ୍ୟା ହେଉଛି ଓଠ ଫାଟିବା, କଳା ପଡ଼ିଯିବା ଏବଂ ଶୁଷ୍କ ହୋଇଯିବା । ଶୀତ ଋତୁରେ ବୋହୁଥିବା ଥଣ୍ଡା ପବନ ଚର୍ମର ଆର୍ଦ୍ରତା ହ୍ରାସ କରିଥାଏ, ଯାହା ଫଳରେ ଚର୍ମ ଶୁଷ୍କ ହୋଇଯାଏ । ଏହି ଶୁଷ୍କତା ବେଳେବେଳେ ଓଠକୁ କଳା ମଧ୍ୟ କରିଦିଏ । ତେବେ ହେଉଥିବା ଏସବୁ ସମସ୍ୟାର ସମାଧାନ ପାଇଁ ଲୋକେ ବଜାରରେ ମିଳୁଥିବା ଦାମୀ ପ୍ରଡକ୍ଟ ବ୍ୟବହାର କରନ୍ତି, ଯାହାକୁ କିଣିବା ସମସ୍ତଙ୍କ ପାଇଁ ସହଜ ହୋଇନଥାଏ । ଏଭଳି କ୍ଷେତ୍ରରେ ଆପଣ ଘରେ ଓଠ ଫାଟିବା ସମସ୍ୟାର ସମାଧାନ କରିପାରିବେ ।
ଘରେ ତିଆରି ଲିପ୍ ବାମ୍ ଲଗାନ୍ତୁ
ଶୁଷ୍କ ଏବଂ ଫାଟିଥିବା ଓଠରୁ ମୁକ୍ତି ପାଇବା ପାଇଁ, ଅଧିକାଂଶ ଲୋକ ବଜାରରେ ଉପଲବ୍ଧ ମଏଶ୍ଚରାଇଜର, ଲୋସନ୍ କିମ୍ବା ପେଟ୍ରୋଲିୟମ୍ ଜେଲି ବ୍ୟବହାର କରନ୍ତି । ହେଲେ ଏହି ଉତ୍ପାଦଗୁଡ଼ିକରେ ଥିବା ରାସାୟନିକ ପଦାର୍ଥଗୁଡ଼ିକ ଦୀର୍ଘକାଳୀନ ଲାଭ ପ୍ରଦାନ କରେ ନାହିଁ । ଏପରି ପରିସ୍ଥିତିରେ, ଘରୋଇ ଉପଚାର ସବୁଠାରୁ ପ୍ରଭାବଶାଳୀ ପ୍ରମାଣିତ ହୁଏ । ତେଣୁ, ଆଜି ଆମେ ଘରେ କିପରି ଆପଣ ଲିପ୍ ବାମ୍ ତିଆରି କରିପାରିବେ ସେ ବିଷୟରେ ଜଣାଇବୁ । YouTuber ପୁନମ୍ ଦେବନାନୀ ଏହାର ପ୍ରସ୍ତୁତି ପ୍ରଣାଳୀ ନିଜ ଚ୍ୟାନେଲରେ ସେୟାର କରିଥିବା ବେଳେ ଲୋକେ ଏଥିରୁ ଲାଭବାନ ହେଉଥିବା ଦାବି କରିଛନ୍ତି ।
କିପରି କରିବା ପ୍ରସ୍ତୁତି
ପୁନମଙ୍କ ମୁତାବକ, ଘରେ ଲିପ୍ବାମ୍ ତିଆରି କରିବା ପାଇଁ ପ୍ରଥମେ ବିଟ୍ ରୁଟ୍ ଭଲ ଭାବରେ ଛୋଟ ଛୋଟ କରି କାଟି ନିଅନ୍ତୁ । ତାପରେ ସେଥିରେ ଗୋଲାପ ଜଳ ଏବଂ ଗୋଲାପ ଫୁଲର ପାଖୁଡା ମିଶାଇ ଗ୍ରାଇଣ୍ଡ କରନ୍ତୁ । ଏହି ମିଶ୍ରଣକୁ ଏକ କପଡ଼ା ରଖି ଛାଣିନେବା ପରେ ସେଥିରେ ନଡ଼ିଆ ତେଲ ଏବଂ ବାଦାମ ତେଲ ଭଲ ଭାବରେ ମିଶାନ୍ତୁ । ତାପରେ, ସେହି ମିଶ୍ରଣରେ ଆଲୋଭେରା ଜେଲ ଏବଂ ପେଟ୍ରୋଲିୟମ୍ ଜେଲି ମିଶାନ୍ତୁ । ଏହି ପେଷ୍ଟକୁ କିଛି ସମୟ ପାଇଁ ମାଇକ୍ରୋୱେଭ୍ କରନ୍ତୁ । ଯଦି ଆପଣଙ୍କର ମାଇକ୍ରୋୱେଭ୍ ନାହିଁ, ତେବେ ଆପଣ ଏକ ପାତ୍ରରେ ପାଣି ଗରମ କରି ସେଥିରେ ମିଶ୍ରଣ ଥିବା ପାତ୍ର ରଖିପାରିବେ । ଆପଣଙ୍କର ଲିପ୍ ବାମ୍ ଏବେ ପ୍ରସ୍ତୁତ । ଆପଣ ଏହାକୁ ଏକ କାଚ ପାତ୍ର କିମ୍ବା ବୋତଲରେ ରଖି ବ୍ୟବହାର କରିପାରିବେ ।