ଭୁବନେଶ୍ୱର: ଆସନ୍ତା 7 ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ସୁବର୍ଣ୍ଣପୁର, ଅନୁଗୁଳ ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ଘନ କୁହୁଡ଼ି ହେବ । ଏଥିସହ ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ଜଗତ୍ସିଂହପୁର ଜିଲ୍ଲାର କେତେକ ସ୍ଥାନରେ ଶୀତ ଲହରି ଜାରି ରହିବାର ସମ୍ଭାବନା ରହିଛି । ଏହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଗତ 24 ଘଣ୍ଟା ମଧ୍ୟରେ ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା 4.4 ଡିଗ୍ରି ରେକର୍ଡ ହୋଇଛି । ସେମିଳିଗୁଡ଼ାରେ 6.1 ଡିଗ୍ରି ରହିଥିବା ବେଳେ ରାଉରକେଲାରେ 7.2, ଦାରିଙ୍ଗବାଡ଼ିରେ 7.5, ଝାରସୁଗୁଡ଼ାରେ 7.6, ଫୁଲବାଣୀରେ 8, ଚିପିଲିମାରେ 6.7, ଅନୁଗୁଳରେ 9, କେନ୍ଦୁଝରରେ 9.6, ସୁନ୍ଦରଗଡ଼ରେ 10 ଡିଗ୍ରି ରହିଥିଲା । କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼ ଜିଲ୍ଲାରେ ଘନକୁହୁଡ଼ି ଏବଂ କଳାହାଣ୍ଡି ଜିଲ୍ଲାରେ ମଧ୍ୟମଧରଣର କୁହୁଡ଼ି ପଡ଼ିଥିଲା । ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହୋଇ ନାହିଁ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା 5ରୁ 6 ଡିଗ୍ରି, ଦକ୍ଷିଣ ଉପକୂଳ ଓଡ଼ିଶାରେ 4 ଡିଗ୍ରି କମ୍ ଥିଲା । ଉତ୍ତର ଉପକୂଳ ଓଡ଼ିଶାର ତାପମାତ୍ରା ସ୍ବାଭାବିକ ଥିଲା । ଦକ୍ଷିଣ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପ୍ରାୟ 2ରୁ 3 ଡିଗ୍ରି କମ୍ ଥିଲା ।