କଂଗ୍ରେସ ସଭାପତି ନିର୍ବାଚନ : 137 ବର୍ଷ ଇତିହାସରେ ଷଷ୍ଠ ନିର୍ବାଚନ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଗତକାଲି ଅର୍ଥାତ 17 ତାରିଖରେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ‌ଶେଷ ହୋଇଛି । କଂଗ୍ରେସର ଏହା ହେଉଛି ଦୀର୍ଘ 137 ବର୍ଷ ଇତିହାସରେ ଷଷ୍ଠ ନିର୍ବାଚନ । ତେବେ ଏଥର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଦୌଡ଼ରେ ନଥିବାରୁ ଜଣେ ଅଣଗାନ୍ଧି ହିଁ ଦଳର ସଭାପତି ହେବେ । ଦୀର୍ଘ 24 ବର୍ଷ ପରେ ଦଳ ଜଣେ ଅଣଗାନ୍ଧି ସଭାପତି ପାଇବ । ଏଥର ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ଲଢେଇ ହେଉଛି ।

ନିର୍ବାଚନର ଗୁରୁତ୍ବ ସଂକ୍ରାନ୍ତରେ ଟିପ୍ପଣୀ ରଖିବାକୁ ଯାଇ କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ କହିଥିଲେ, କଂଗ୍ରେସ ଏହାର 137 ବର୍ଷ ଇତିହାସରେ ସଭାପତି ପଦ ପାଇଁ ଷଷ୍ଠ ଆଭ୍ୟନ୍ତରୀଣ ନିର୍ବାଚନ ଲଢ଼ୁଛି। ଗଣମା‌ଧ୍ୟମ ଦ୍ବାରା 1939, 1950, 1997 ଏବଂ 2000 ମସିହାର ନିର୍ବାଚନ ଉପରେ ଫୋକସ୍‌ କରାଯାଇଛି । କିନ୍ତୁ 1977ରେ ବି କଂଗ୍ରେସ ସଭାପତି ନିର୍ବାଚନ ହୋଇଥିଲା । କେ ବ୍ରହ୍ମାନନ୍ଦ ରେଡ୍ଡି ସେହି ସମୟରେ କଂଗ୍ରେସ ସଭାପତି ନିର୍ବାଚିତ ହୋଇଥିବା ସେ କହିଛନ୍ତି । 1939ରେ ପ୍ରଥମ କଂଗ୍ରେସ ସଭାପତି ନିର୍ବାଚନ ହୋଇଥିଲା ।

ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥୀ ପି ସୀତାରମେୟା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କଠାରୁ ହାରି ଯାଇଥିଲେ। ସ୍ବାଧୀନତା ପରେ ପ୍ରଥମ ଥର ପାଇଁ 1950ରେ କଂଗ୍ରେସ ସଭାପତି ନିର୍ବାଚନ ହୋଇଥିଲା । ସେ ସମୟରେ ପୁରୁଷୋତ୍ତମ ଦାସ ଟଣ୍ଡନ ଏବଂ ଆଚାର୍ଯ୍ୟ କୃପାଳିନୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଘନିଷ୍ଠ ବିବେଚନା କରାଯାଉଥିବା ଟଣ୍ଡନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପ୍ରାର୍ଥୀ କୃପାଳିନୀଙ୍କ ବିରୋଧରେ ନିର୍ବାଚନ ଜିତିଥିଲେ। ଏହାପରେ 1977ରେ ଦେବକାନ୍ତ ବରୁ୍ଆଙ୍କ ଇସ୍ତଫା ହେତୁ କଂଗ୍ରେସ ସଭାପତି ପଦ ପାଇଁ ନିର୍ବା‌ଚନ ହୋଇଥିଲା । ଏହି ନିର୍ବାଚନରେ କେ ବ୍ରହ୍ମାନନ୍ଦ ରେଡ୍ଡି ସିଦ୍ଧାର୍ଥ ଶଙ୍କର ରାୟ ଏବଂ କରନ ସିଂହଙ୍କୁ ହରାଇଥିଲେ ।

ଏହାପରେ ଦୀର୍ଘ 20 ବର୍ଷ ପରେ 1997ରେ କଂଗ୍ରେସ ସଭାପତି ନିର୍ବାଚନ ହୋଇଥିଲା । ସେ ସମୟରେ ସୀତାରାମ କେଶରୀ, ଶରଦ ପାୱାର ଏବଂ ରାଜେଶ ପାଇଲଟଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ସୀତାରାମ ବିପୁଳ ଭୋଟ୍‌ରେ ବିଜୟୀ ହୋଇଥିଲେ । ଏହାପରେ 2000 ମସିହାରେ ପରବର୍ତ୍ତୀ କଂଗ୍ରେସ ସଭାପତି ନିର୍ବାଚନ ହୋଇଥିଲା । ଏହି ସମୟରେ ଜି‌ତେନ୍ଦ୍ର ପ୍ରସାଦ ଏବଂ ସୋନିଆଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ତେବେ ଜିତେନ୍ଦ୍ର ପ୍ରସାଦ ସୋନିଆଙ୍କଠାରୁ ହାରି ଯାଇଥିଲେ । ଏହା ପରଠାରୁ କେବଳ 2 ବର୍ଷ 2017 ରୁ 2019 ପର୍ଯ୍ୟନ୍ତ ଛାଡ଼ିଦେଲେ ସୋନିଆ ସେବେଠାରୁ କଂଗ୍ରେସ ସଭାପତି ଅଛନ୍ତି । 2017ରୁ 2019 ମଧ୍ୟରେ ରାହୁଲ ଦଳର ସଭାପତି ରହିଥିଲେ ।


ସେୟାର କରନ୍ତୁ