ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗା ଘଟଣାକୁ ନେଇ ଦୁଃଖପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରୋଷଘର ଚୁଲିକୁ ଭାଙ୍ଗିବା ଖବର ମୋତେ ଦୁଃଖିତ ଓ ବ୍ୟଥିତ କରିଛି ବୋଲି ଟ୍ୱିଟ୍ କରି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ମନ୍ତ୍ରୀ ପ୍ରଧାନ ଟୁଇଟ କରି ଲେଖିଛନ୍ତି, ଓଡ଼ିଆ ଜାତିର ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସ୍ଥିତ ପବିତ୍ର ରୋଷଘର ଚୁଲି ଗୁଡ଼ିକ ଭାଙ୍ଗି ଦିଆଯିବା ଘଟଣା ଗଣମାଧ୍ୟମରୁ ଜାଣିବାକୁ ପାଇଲି । ଏହି ଖବର ମୋତେ ଦୁଃଖିତ ଓ ବ୍ୟଥିତ କରିଛି । ମହାପ୍ରଭୁ ଓଡ଼ିଶାବାସୀ ଏବଂ ସାରା ବିଶ୍ୱର ହିନ୍ଦୁ ସମାଜର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ।

ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ। ମହାପ୍ରସାଦ ସହ ଓଡ଼ିଆଙ୍କ ଭାବାବେଗ ଜଡ଼ିତ । ମହାପ୍ରଭୁଙ୍କ ମହାପ୍ରସାଦ ଅମୃତ ତୁଲ୍ୟ । ମହାପ୍ରଭୁଙ୍କ ରୋଷଘର ସହ ମା’ ଲକ୍ଷ୍ମୀ ଓ ମା’ ହିଙ୍ଗୁଳାଙ୍କ ପ୍ରତ୍ୟକ୍ଷ ଜଡ଼ିତ ଥିବା ଓଡ଼ିଆ ଜନମାନସର ବିଶ୍ୱାସ । ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନ ହେବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ସଜାଗ ରହିବା ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।


ସେୟାର କରନ୍ତୁ