ଜେଏନୟୁର ଛାତ୍ର ନେତା କହ୍ନେୟା କୁମାର ଓ ସ୍ୱାଧୀନ ବିଧାୟକ ଜିଗ୍ନେଶ ମେଭାନୀ କଂଗ୍ରେସରେ ଦେଲେ ଯୋଗ

ଦେଶବିଦେଶ ରାଜନୀତି
ସେୟାର କରନ୍ତୁ

ନୂଆଦିଲ୍ଲୀ : ଜେଏନୟୁର ପୂର୍ବ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ଏବଂ ଗୁଜରାଟର ସ୍ୱାଧୀନ ବିଧାୟକ ଜିଗ୍ନେଶ ମେଭାନୀ କଂଗ୍ରେସରେ ଯୋଗ ଦେଇଛନ୍ତି । ରାହୁଲ ଗାନ୍ଧୀ ଦୁଇ ଯୁବ ନେତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଥିଲେ । କଂଗ୍ରେସରେ ଯୋଗଦେବା ପରେ କହ୍ନେୟା କୁମାର କହିଥିଲେ ଯେ ସେ କାହିଁକି ଏହି ଦଳରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି?

କହ୍ନେୟା କହିଛନ୍ତି, ମୁଁ ହୃଦବୋଧ କରେ ଯେ, ଏହି ଦେଶରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ କେବଳ ବ୍ୟକ୍ତି ନୁହନ୍ତି ବରଂ ଏକ ବିଚାରଧାରା । ଏହି ଦେଶର ଚିନ୍ତନ, ପରମ୍ପରା, ସଂସ୍କୃତି, ମୂଲ୍ୟବୋଧ, ଇତିହାସ, ବର୍ତ୍ତମାନ ଓ ଭବିଷ୍ୟତକୁ କୁତ୍ସିତ କରିବାକୁ ଉଦ୍ୟମ ଚାଲିଛି। ମୁଁ ପଢିଥିଲି ଯେ, ଆପଣ ନିଜ ଶତ୍ରୁକୁ ଆପଣେଇଲେ, ବନ୍ଧୁତା ଆପେ ଆପେ ହୋଇଯାଏ। ବାସ୍ ମୁଁ ଏହା ହିଁ କରିଛି । ଗଣତାନ୍ତ୍ରିକ ପାର୍ଟିରେ ମୁଁ ଏଥିପାଇଁ ସାମିଲ୍ ହେବାକୁ ଚାହୁଁଥିଲି କାରଣ ଏବେ ଲାଗିଲାଣି ଯେ, ଯଦି କଂଗ୍ରେସ ବଞ୍ଚିବ ନାହିଁ ତେବେ ଦେଶ ମଧ୍ୟ ବଞ୍ଚିବ ନାହିଁ।

କହ୍ନେୟା କହିଛନ୍ତି, ଦେଶରେ ବର୍ତ୍ତମାନ ମଧ୍ୟ ପ୍ରଧାନମନ୍ତ୍ରୀ ଅଛନ୍ତି, ପୂର୍ବରୁ ବି ଥିଲେ ଏବଂ ଭବିଷ୍ୟତରେ ମଧ୍ୟ ରହିବେ । ହେଲେ ଆଜି ଆମେ ଯେତେବେଳେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିର ଫର୍ମ ଭରିଲୁ ବନ୍ଧୁ ଜିଗ୍ନେଶ ମଧ୍ୟ ସମ୍ବିଧାନର ପତ୍ର ଦେଇଥିଲେ । ଏଥିସହ ଆମେ ଗାନ୍ଧୀ-ଆମ୍ବେଦକର ଓ ଭଗତ ସିଂହଙ୍କ ଫଟୋ ମଧ୍ୟ ଦେଲୁ । କାରଣ ଆଜି ଏହି ଦେଶକୁ ଭଗତ ସିଂହଙ୍କ ସାହାସ, ଆମ୍ବେଦକରଙ୍କ ସମାନତାର ଏବଂ ଗାନ୍ଧୀଙ୍କ ଏକତାର ଆବଶ୍ୟକତା ରହିଛି ।

ଜିଗ୍ନେଶ ମେଭାନୀ କହିଛନ୍ତି, “ଆଇନଗତ କାରଣରୁ ମୁଁ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇପାରିଲି ନାହିଁ । ମୁଁ ଜଣେ ସ୍ୱାଧୀନ ବିଧାୟକ, ଯଦି ମୁଁ କୌଣସି ଦଳରେ ଯୋଗ ଦେବି, ମୁଁ ବିଧାୟକ ଭାବରେ ରହିପାରିବି ନାହିଁ … ମୁଁ ଆଦର୍ଶଗତ ଭାବରେ କଂଗ୍ରେସର ଅଂଶ, ଆଗାମୀ ଗୁଜୁରାଟ ନିର୍ବାଚନରେ ​​କଂଗ୍ରେସ ପ୍ରତୀକ ସହିତ ଲଢ଼ିବି । “

ଏହା ସହ ସେ କହିଛନ୍ତି ଯେ ଗଣତନ୍ତ୍ର ତଥା ଭାରତର ଧାରଣାକୁ ବଞ୍ଚାଇବା ପାଇଁ ମୋତେ ସେହି ଦଳ ସହ ରହିବାକୁ ପଡିବ ଯିଏ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲା ଏବଂ ବ୍ରିଟିଶମାନଙ୍କୁ ଦେଶରୁ ବାହାର କରି ଦେଇଥିଲା । ସେଥିପାଇଁ ମୁଁ ଆଜି କଂଗ୍ରେସ ସହିତ ଅଛି ।”


ସେୟାର କରନ୍ତୁ