ଆସନ୍ତାକାଲି ବିବାହ- ସବ୍ୟସାଚୀ ଅର୍ଚ୍ଚିତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ

ସିନେମା
ସେୟାର କରନ୍ତୁ

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡ଼ର ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ- ଅର୍ଚ୍ଚିତା । ରିଲ୍‌ ଲାଇଫ୍‌ ପରେ ରିଏଲ ଲାଇଫ୍‌ରେ ଘର ସଂସାର କରିବେ ସବ୍ୟ ଓ ଅର୍ଚ୍ଚିତା ।ଆସନ୍ତାକାଲି ଦୁହେଁ ବିବାହ କରିବେ । ଆସନ୍ତାକାଲି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବାହାଘର ହେବ ବୋଲି ସୂଚନା ମିଳିଛି । ବିବାହ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା । ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ସବ୍ୟ ଓ ଅର୍ଚ୍ଚିତା ।

ସବ୍ୟସାଚୀ ନିଜ ପ୍ରଶଂସକଙ୍କୁ ଟୁଇଟ୍ କରି କହିଛନ୍ତି, ଆପଣମାନେ ସମସ୍ତେ ଆମ ପରିବାରର ଅଙ୍ଗ ସଦୃଶ । ଆପଣମାନେ ଆମର ଉଭୟ ଭଲ ଓ ଖରାପ ସମୟରେ ଆମ ଉପରେ ଆଶୀର୍ବାଦ ଢ଼ାଳି ଦେଇଛନ୍ତି । ଆଜିର ଏହି ଗୁରୁତ୍ବପୂର୍ଣ୍ଣ ଦିନରେ ଆପଣଙ୍କୁ କିଭଳି ଭୁଲିଯିବୁ? ଜୀବନର ଏଇ ନୂତନ ଯାତ୍ରା ଆରମ୍ଭ କରୁଥିବା ବେଳେ ଆପଣମାନଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ଆମର ଏକାନ୍ତ କାମ୍ୟ ।

ଏହି ଯୋଡି ପ୍ରଥମେ ଏକାଠି ପରଦାରେ ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୁଁ ସପନର ସୌଦାଗର’ ଫିଲ୍ମରେ ଅଭିନୟ କରିଥିଲେ । ଏହାପରେ ଦୁହେଁ ନାୟକ-ନାୟିକା ଭାବେ ‘ତୋର ମୋର ଯୋଡ଼ି ସୁନ୍ଦର’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ’, ‘ମୁଁ ଏକା ତୁମର’, ‘ହେଲା ମତେ ପ୍ରେମ ଜର’, ‘ପିଲାଟା ବିଗିଡ଼ି ଗଲା’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ମତେ ଆଣିଦେଲ ଲକ୍ଷେ ଫଗୁଣ’ ,‘ପାଗଳ କରିଛି ପାଉଁଜି ତୋର’ ଓ ‘ଛାତି ତଳେ ଡିଙ୍ଗଡଙ୍ଗ୍’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି ।


ସେୟାର କରନ୍ତୁ