ବିଦେଶୀ ପର୍ଯ୍ୟଟକଙ୍କ ଲଗେଜ ଲୁଟ ଘଟଣା: ସୁଷମା ସ୍ୱରାଜ, ନବୀନ ପଟ୍ଟନାୟକଙ୍କୁ ଟୁଇଟ କଲେ ନିରଜ… ସିସିଟିଭି ଯାଞ୍ଚ, ସନ୍ଦିଗ୍ଧ ମହିଳା ଚିହ୍ନଟ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ବିଦେଶୀ ପର୍ଯ୍ୟଟକ ନିରଜ ଚନ୍ଦନଙ୍କ ଲଗେଜ ଲୁଟ ଘଟଣାରେ ଆଜି ସେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷପ ଲୋଡିଛନ୍ତି । ଖାଲି ଏତିକି ନୁହେଁ ତାଙ୍କ ପାସପୋର୍ଟ ଫେରାଇ ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ନିଜ ଟୁଇଟର ଆକାଉଁଟରୁ ସେ ବୈଦେଶିକ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟୁଇଟ କରି ଘଟଣା ବିଷୟରେ ଜଣାଇବା ସହ ତାଙ୍କ ପାସପୋର୍ଟ ଯଥାଶୀଘ୍ର ଖୋଜି ଦେବା ପାଇଁ ଗୁହାରି କରିଛନ୍ତି । ଏହାଛଡ଼ା ସେ ଡିଜିପି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ମଧ୍ୟ ସମାନ ଟୁଇଟ କରିଛନ୍ତି ।
ଅନ୍ୟପଟରେ କମିଶନରେଟ ପୁଲିସ ନିରଜଙ୍କ ଲୁଟ ହୋଇଥିବା ବ୍ୟାଗ ଖୋଜିବା ପାଇଁ ତନାଘନା ଚଳାଇଛି । ଏୟାରପୋର୍ଟରେ ଲାଗିଥିବା ସିସିଟିଭି କ୍ୟାମେରାକୁ ତନ୍ନତନ୍ନ କରି ଯାଞ୍ଚ କରିଛି । ଘଟଣାର ତଦନ୍ତ ନେଇ ଭୁବନେଶ୍ୱର ଡିସିପି ଅନୁପ ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ଏୟାରପିଲ୍ଡ ଥାନା ପୁଲିସ ଏୟାରପୋର୍ଟର ପ୍ରସ୍ଥାନ ଫାଟକରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି । ଫୁଟେଜରେ ଜଣେ ସନ୍ଦିଗ୍ଧ ମହିଳାଙ୍କୁ ଚିହ୍ନଟ କରାଯାଇଛି । ସେ ନିରଜଙ୍କ ପାଖରେ ବୁଲୁଥିବା ଦେଖାଯାଇଛି । ତେଣୁ ମହିଳା ଜଣଙ୍କ ନିରଜଙ୍କ ଲଗେଜ ବ୍ୟାଗ ଲୁଟ କରିଥିବା ପୁଲିସ ସନ୍ଦେହ କରୁଛି । ଖୁବଶୀଘ୍ର ଲୁଟେରାକୁ ଧରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
ସେପଟେ ଘାନା ଯିବା ପାଇଁ ଭିଜାର ସମୟ ସୀମା ସରୁଥିବାରୁ ନିରଜ ଚିନ୍ତାବ୍ୟକ୍ତ କରିଛନ୍ତି । ସେ ବାରମ୍ବାର ସୋସିଆଲ ମିଡିଆରେ ଲୁଟ ଘଟଣାର ସମସ୍ତ ତଥ୍ୟ ବିବରଣୀ ଅପଲୋଡ କରି ନିଜର ହଜି ଯାଇଥିବା ପାସପୋର୍ଟ ପାଇବାର ଆଶା ରଖିଛନ୍ତି । ଏହାସହ ଯଦି କୌଣସି ବ୍ୟକ୍ତି ବିଶେଷ ଭୁଲ ବଶତଃ ବ୍ୟାଗ ପାଇଥିବେ ସେ ତାଙ୍କୁ ଫେରାଇବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି ।
ସୂଚନା ମୁତାବକ, ନିରଜ ପରିବାର ସହ ଆଫ୍ରିକା ଘାନାରୁ ପୁରୀ ଶ୍ରୀମନ୍ଦିର ବୁଲିବାକୁ ଅସିଥିବା ବେଳେ ଏୟାରପୋଟର ପ୍ରସ୍ଥାନ ଫାଟକରେ ତାଙ୍କର ଲଗେଜ ଚୋରି ହୋଇଯାଇଥିଲା ।

ସେୟାର କରନ୍ତୁ